୧୦ ଟଙ୍କିଆ କଏନ ଆପଣଙ୍କୁ ନେଇପାରେ ଜେଲ୍ ! ବଜାରରେ ଉପଲବ୍ଧ ହେଉଥିବା ସବୁ ପ୍ରକାର କଏନକୁ ନେଇ ଆରବିଆଇ କଲା ସତର୍କ: ଖୁଚୁରା ଟଙ୍କା ଗ୍ରହଣ ନକଲେ ମୋଟା ଅଙ୍କର ଜରିମାନା ସାଙ୍ଗରୁ ହୋଇପାରେ ୭ ବର୍ଷ ଜେଲ୍

ଜନତାଙ୍କ ହୀତ ପାଇଁ ସରକାର ଜାରି କଲେ ଟୋଲ ଫ୍ରି ନମ୍ବର, କଲ୍ କିମ୍ବା ଏସଏମଏସ ଜରିଆରେ କରିପାରିବେ ଅଭିଯୋଗ...

645

କନକ ବ୍ୟୁରୋ: ଅଚଳ ଟଙ୍କା କହି କିଛି ଦୋକାନୀ ତଥା ଗାଡି ଚାଳକ ଖୁଚୁରା ପଇସା ନେବାକୁ ରୋକ୍ ଠୋକ୍ ମନା କରିଦେଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅଚଳ କହି କୌଣସି ବି କଏନକୁ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ କୌଣସି ବି ଦୋକାନୀ କିମ୍ବା ଗାଡି ଚାଳକ । ଅଚଳ ଟଙ୍କା କହି ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ହଇରାଣ ହରକତ କରିବାକୁ ଚେଷ୍ଟା କରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଗ୍ରହଣ କରାଯିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ଏକଥା ଆମେ କହୁନାହୁଁ ବରଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ ଉଲ୍ଲେଖ ରହିଛି ।

ବଜାରରେ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ଅବା ଗାଁ ଗହଳି ସବୁଠି କଏନ୍ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି କଏନ୍ କେହି ନନେବାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଖୁଚୁରା ବ୍ୟବସାୟୀ । ସେପଟେ ବ୍ୟାଙ୍କ କର୍ତୃପକ୍ଷ ଏନେଇ ବାରମ୍ବାର ସ୍ପଷ୍ଟିକରଣ ରଖିଛନ୍ତି । ବ୍ୟାଙ୍କର କହିବା କଥା କଏନ ଅଚଳ ଏକ ଗୁଜବ । ଏହାକୁ ବିଶ୍ୱାସ ନକରି ସମସ୍ତେ କଏନ ଗ୍ରହଣ କରନ୍ତୁ । ନଚେତ୍ ଆଇନଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ଏନେଇ ଆପଣ ପୁଲିସରେ ଅଭିଯୋଗ କରିପାରିବେ, ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲର ହାୱା ଖାଇବାକୁ ପଡିପାରେ ।

ତେଣୁ ଲୋକଙ୍କ ସମସ୍ୟାକୁ ନଜରରେ ରଖି ଖୁଚୁରା ତଥା କଏନ ପଇସାକୁ ନେଇ ଆରବିଆଇ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦେବା ସହ ବଜାରରେ ଉପଲବ୍ଧ କୌଣସି ବି କଏନ ଅବୈଧ୍ୟ ନୁହେଁ ବୋଲି କୁହାଯାଉଛି । ତେବେ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ଅନୁସାରେ, ଯେଉଁ ସବୁ କଏନ ଜାରି କରାଯାଇଛି , ତାହା ରିଜର୍ଭ ବ୍ୟାଙ୍କର ନିୟମ ଆଧାରରେ ହିଁ ଜାରି କରାଯାଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାର ସୂଚନା ପୁଲିସକୁ ଦେବା ଉଚିତ , କାରଣ ଏଭଳି କରିବା ଅପରାଧ । ଗତ କିଛି ମାସ ହେବ ଛୋଟ ଟଙ୍କିକିଆ କଏନ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ଅଚଳ କହି ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହା ଏକ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ଜରୁରୀ ।

ଅନ୍ୟପଟେ, ଦେଶରେ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ଲାଗୁ ହେବା ପରେ ଏଣିକି ଖୁଚୁରା ଟଙ୍କା ବଦଳରେ ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ଦେଲେ କନଜ୍ୟୁମର ଫୋରମର ଦ୍ୱାରସ୍ଥ ହୋଇପାରିବେ ଗ୍ରାହକ । ଆଉ ଗ୍ରାହକଙ୍କ ଅଭିଯୋଗର ମାସକ ଭିତରେ ହିଁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଏଭଳି ସମସ୍ୟା ତଥା ଅଭିଯୋଗ ଆପଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୱେବସସାଇଟ୍ https://jagograhakjago.gov.in/  ଏବଂ https://consumerhelpline.gov.inର ଟୋଲ ଫ୍ରି ନମ୍ବର ୧୮୦୦-୧୧-୪୦୦୦ ଏବଂ ୧୪୪୦୪ ନମ୍ବରରେ ବି କଲ କରି ଜଣାଇପାରିବେ । ଏଥି ସହିତ ହିଁ ଆପଣ ମୋବାଇଲ ନମ୍ବର ୮୧୩୦୦୦୯୮୦୯ରେ ଏସଏମଏସ ଜରିଆରେ ମଧ୍ୟ ନିଜ ସମସ୍ୟା ସଂକ୍ରାନ୍ତରରେ ଅଭିଯୋଗ କରିପାରିବେ ।