ଘାସ କାଟିଲେ ଘର ଚଳିବ, ସାଇକେଲ୍ ପମ୍ପଚର ମାରିଲେ ପେଟ ପୂରିବ । ବାର ବର୍ଷ ବୟସରେ ପରିବାରର ବୋଝ, ବାପା ଶଯ୍ୟାଶାୟୀ ହେବା ପରେ କୁନି କାନ୍ଧ ସାଜିଛି ପୂରା ପରିବାରର ସାହା ଭରସା, ଆଶିଷ ଆଖିରୁ ଲୁହ ପୋଛିଦିଅ ସରକାର ।

838

କନକ ବ୍ୟୁରୋ : ବିଧାତା ଦେଖେନି ବୟସର ବନ୍ଧ ବାଡ଼ । କେତେବେଳେ ବୟସ୍କ କାନ୍ଧରେ ବୋଝ ତ ଆଉ କେତେବେଳେ କଅଁଳ କାନ୍ଧରେ କଷ୍ଟର କଷଣ ଅଜାଡି ଦିଏ ବିଧାତା । ଭଙ୍ଗା ଚାଳଘର, ଆଉ ଖଟ ଉପରେ ରୋଗାକ୍ରାନ୍ତ ଅବସ୍ଥାରେ ପଡିରହିଛନ୍ତି ବାପା । ଘରର ମୂରବୀ ଯେତେବେଳେ ଶଯ୍ୟାଶାୟୀ, ଘର ଚଳିବ ବା କେମିତି ।

ଏପଟେ ଘାସ, ସେପଟେ ସାଇକେଲ…ଘାସ କାଟିଲେ ଘର ଚଳିବ, ପମ୍ପଚର ମାରିଲେ ପେଟ ପୂରିବ । କୁନି କାନ୍ଧ ଏବେ ପୂରା ପରିବାରର ସାହା ଭରସା । ଢେଙ୍କାନାଳର କୁନି ପୁଅ ଆଶିଷ । ବୟସ ସିନା ୧୨ ବର୍ଷ ହେଲେ ବିଧାତାର ବୋଝ ବୟସଠୁ ବି ଅଧିକ । ଯେଉଁ ହାତରେ ବହିବସ୍ତାନୀ ରହିବା କଥା, ସେ ହାତ ଘାସ କାଟୁଛି । କାରଣ ଘାସରେ ଲେଖାହୋଇଛି ଘରର ଭାଗ୍ୟ । ଦା ଧରି ଦିନେ ଘାସ ନକାଟିଲେ ଦୁଃଖର ପାହାଡ ଅଧିକ ବୋଝ ଦେଇଦବ ।

କେବଳ ଏତିକି ନୁହେଁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ଆଶିଷଙ୍କ ବାପା ସଂଜୟ । ଚିକିତ୍ସା ପାଇଁ ପାଖରେ ପଇସା ନଥିବାରୁ ସକାଳୁ ଘାସ କାଟିବା ପରେ ପମ୍ପଚର ମାରି, ସାଇକେଲ ସଜାଡି ସଂସାର ଚଳାଉଛି ଏହି କୁନି ପୁଅ । ପରିବାରର ଏକ ମାତ୍ର ରୋଜଗାରିଆ ହାତ, ଆଉ ଆଶା ଭରସା ହେଉଛି ଆଶିଷ । ସେପଟେ ମନରେ କୋହ ଆଉ ଆଖିର ଲୁହକୁ ଚାପି ରଖି ପତିଧର୍ମ କରିଚାଲିଛନ୍ତି ସଂଜୟଙ୍କ ସ୍ତ୍ରୀ ।

ଏତିକିରେ ସରିନି ଆଶିଷ ପାଇଁ ବିଧାତାର ବିଚିତ୍ର ଖେଳ । ପେଟ ପାଇଁ କୁନି ହାତ ନାଟ କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ । ଅନ୍ୟପିଲାଙ୍କ ଭଳି ପାଠ ପଢିବାକୁ ଆଉ ଆଗକୁ ବଢିବାକୁ ଆଶିଷର ବି ଇଚ୍ଛା ଅଛି । ହେଲେ କୁନି ପାଦ ପାଖରେ ବ୍ୟବସ୍ଥା ବାଟମାରଣା ହୋଇଯାଇଛି । ସରକାରୀ ସହାୟତା ତ ଦୂରର କଥା ଏପର୍ଯ୍ୟନ୍ତ ପ୍ରଶାସନ ବି ପାଖରେ ପହଂଚିପାରିନି । ଆଶା କରୁଛୁ, ଆମ ଜରିଆରେ ଖବର ପ୍ରସାରଣ ପରେ ସରକାରୀ ବାବୁଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ଆଉ ଆଶିଷ ଆଖିରୁ ଲୁହ ଶୁଖିବ ।