ଦେଶର ସବୁ ରେଳଷ୍ଟେସନରେ ବହୁମୁଖୀ ଷ୍ଟଲ୍‌ ଖୋଲିବ

134

କନକ ବ୍ୟୁରୋ: ଦେଶର ସମସ୍ତ ରେଳ ଷ୍ଟେସନରେ ବହୁମୁଖୀ ଷ୍ଟଲ୍ ଖୋଲିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି । ଦେଶର ସମସ୍ତ ଜୋନାଲ୍ କାର୍ଯ୍ୟାଳୟକୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ରେଳ ଷ୍ଟେସନରେ ବର୍ତ୍ତମାନ ପର୍ଯ୍ୟନ୍ତ ଖାଇବା-ପିଇବା ଜିନିଷ ଉପଲବ୍ଧ ହେଉଛି । ଅନ୍ୟାନ୍ୟ ଜିନିଷ ଗୁଡ଼ିକର ଆବଶ୍ୟକତା ଥିଲେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ୍ ବାହାରକୁ ଯାଇ କିଣିବାକୁ ପଡ଼ିଥାଏ । ଏଣିକି ରେଳ ଷ୍ଟେସନର ପ୍ଲାଟଫର୍ମରେ ବହୁମୁଖୀ ଷ୍ଟଲ୍ ଖୋଲିବ ଏବଂ ଯାତ୍ରୀମାନେ ସେମାନଙ୍କ ମନମୁତାବକ ଜିନିଷ କିଣିପାରିବେ । ସୂଚନାନୁଯାୟୀ, ଦେଶର ସମସ୍ତ ରେଳ ଷ୍ଟେସନ୍ ମାନଙ୍କରେ ପାଖାପାଖି ୬ ଲକ୍ଷ ଷ୍ଟଲ୍ ଖୋଲାଯିବ ।

ଷ୍ଟଲ୍ ଗୁଡ଼ିକର ଆକାର ଓ ଡିଜାଇନ ଗୋଟିଏ ପ୍ରକାର ହେବ । ୨୦୧୬-୧୭ ରେଳ ବଜେଟରେ ପ୍ଲାଟଫର୍ମମାନଙ୍କରେ ବହୁ ଉଦ୍ଦେଶ୍ୟସାଧନକାରୀ ଷ୍ଟଲ୍ ଖୋଲିବାପାଇଁ ନିଷ୍ପତ୍ତି ନିଆଯାଇଛି । ଜୋନାଲ ଅଧିକାରୀମାନଙ୍କୁ ପ୍ଲାଟଫର୍ମମାନଙ୍କରେ ବହୁ ଉଦ୍ଦେଶ୍ୟସାଧନକାରୀ ଷ୍ଟଲ୍ ଖୋଲିବାନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିପାଇଁ ଇ-ଟେଣ୍ଡର ପ୍ରକ୍ରିୟାରେ ଚୟନ କରାଯିବ ।

ରେଳ ବିଭାଗର ସୂଚନାନୁଯାୟୀ, ପ୍ଲାଟଫର୍ମମାନଙ୍କରେ ବହୁ ଉଦ୍ଦେଶ୍ୟସାଧନକାରୀ ଷ୍ଟଲ୍ ଖୋଲିବାଦ୍ୱାରା ଶତାଧିକ ଲୋକଙ୍କୁ ରୋଜଗାରର ଅବସର ସୃଷ୍ଟି ହେବ । ବିଶେଷ କରି ଷ୍ଟଲ୍ ଆବଣ୍ଟନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିବ ବୋଲି କୁହାଯାଉଛି । ୫ ବର୍ଷ ଅବଧି ପାଇଁ ଷ୍ଟଲ୍ ଗୁଡ଼ିକ ଆବଣ୍ଟନ କରାଯିବ ଏବଂ ତା’ ପରେ ନବୀକରଣ ପ୍ରକ୍ରିୟା ଆରମ୍ଭ ହେବ । ବହୁ ଉଦ୍ଦେଶ୍ୟସାଧନକାରୀ ଷ୍ଟଲ୍ ମାନଙ୍କରେ ଗୋଟିଏ ଛାତ ତଳେ ଚା’ କଫି, ଖାଇବା ଜିନିଷ ସହିତ ଔଷଧ, ପୁସ୍ତକ, ମ୍ୟାଗାଜିନ୍, ଖବରକାଗଜ, ସ୍ଥାନୀୟ ଅଞ୍ଚଳର ଇତିହାସ ଓ ପାରମ୍ପରିକ ସଂସ୍କୃତି ସମ୍ବଳିତ ପୁସ୍ତକ ଓ ବସ୍ତୁଗୁଡ଼ିକ ଉପଲବ୍ଧ ହେବ ।