ଗୁଜରାଟ ସୋମନାଥ ମନ୍ଦିରରେ ଅଣହିନ୍ଦୁ ରେଜିଷ୍ଟରରେ ନାଁ ଲେଖାଇଲେ ରାହୁଲ ଗାନ୍ଧି ! ପ୍ରଶ୍ନ ପଚାରିଲା ବିଜେପି- ହିନ୍ଦୁ ନୁହନ୍ତି କି ରାହୁଲ ଗାନ୍ଧି?

39

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ହିନ୍ଦୁ ନା ଅଣହିନ୍ଦୁ, ଏ ନେଇ ସରଗରମ ହୋଇଛି ଗୁଜରାଟ୍ ରାଜନୀତି । ସୋମନାଥ ମନ୍ଦିର ଦର୍ଶନ ବେଳେ ଅଣହିନ୍ଦୁଙ୍କ ପାଇଁ ହୋଇଥିବା ରେଜିଷ୍ଟରରେ ରାହୁଲଙ୍କ ନାଁ ଏଂଟ୍ରି ହୋଇଥିବାରୁ ଏହି ବିବାଦ ଜୋର ଧରିଛି । ଏହାକୁ ନେଇ ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି ବିଜେପି । କଂଗ୍ରେସ କହିଛି, ଧର୍ମ ନାଁରେ ରାଜନୀତି କରୁଛି ବିଜେପି ।

ସୋମନାଥ ମନ୍ଦିରର ରେଜିଷ୍ଟରରେ ରାହୁଲ ଗାନ୍ଧିଙ୍କ ନାଁ । ଯାହାକୁ ନେଇ ଉଠୁଛି ପଡୁଛି ଗୁଜରାଟ୍ ରାଜନୀତି । ସୋମନାଥ ମନ୍ଦିରକୁ ଆସୁଥିବା ଅଣହିନ୍ଦୁଙ୍କ ରେଜିଷ୍ଟରରେ ରାହୁଲ ଗାନ୍ଧିଙ୍କ ନାଁ ଥିବା ଅଭିଯୋଗ ହୋଇଛି । ଗୁଜରାଟ ନିର୍ବାଚନୀ ପ୍ରଚାରରେ ଲଗାତାର ମନ୍ଦିର ପରିଦର୍ଶନ କରୁଛନ୍ତି ରାହୁଲ୍ । ଏହି କ୍ରମରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହ ସୋମନାଥ ମନ୍ଦିର ପହଁଚିଥିଲେ ରାହୁଲ । ଅଭିଯୋଗ ହୋଇଛି, ଅଣହିନ୍ଦୁଙ୍କ ପାଇଁ ଥିବା ଏଂଟ୍ରି ରେଜିଷ୍ଟରରେ ଦସ୍ତଖତ କରିଥିଲେ ରାହୁଲ । ତେବେ ଏଥିରେ ରାହୁଲ ଗାନ୍ଧି ଦସ୍ତଖତ କରିନଥିବା କହିଛି କଂଗ୍ରେସ । ସୋମନାଥ ମନ୍ଦିରର ପ୍ରଥା ଅନୁସାରେ ଯଦି କୌଣସି ଅଣ-ହିନ୍ଦୁ ମନ୍ଦିର ଭିତରକୁ ଯାଆନ୍ତି, ତେବେ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ରେଜିଷ୍ଟରରେ ଏଂଟ୍ରି କରିବାକୁ ପଡେ ।

ବିଜେପି ଅଭିଯୋଗ କରିଛି, ରେଜିଷ୍ଟରରେ ନାଁ ଲେଖି ରାହୁଲ ଜଣାଇ ଦେଇଛନ୍ତି ଯେ ସେ ହିନ୍ଦୁ ନୁହଁନ୍ତି । ସେପଟେ କଂଗ୍ରେସ କହିଛି, ଗୁଜରାଟରେ ବିଜେପି ନିକଟରେ ପ୍ରସଙ୍ଗ ନଥିବାରୁ ଧର୍ମକୁ ନେଇ ରାଜନୀତି କରୁଛି ବିଜେପି । ଏହି ଆରୋପ-ପ୍ରତ୍ୟାରୋପ ଭିତରେ ପ୍ରଶ୍ନ ଉଠୁଛି, ଅଣ-ହିନ୍ଦୁ ରେଜିଷ୍ଟରରେ ରାହୁଲ ଗାନ୍ଧିଙ୍କ ନାଁ କାହିଁକି ଲେଖାଯାଇଛି ? ଭୁଲରେ ଅହମ୍ମଦ ପଟେଲଙ୍କ ସହ ତାଙ୍କ ନାଁ ଲେଖା ହୋଇଥିଲା ନା’ ଏହା ପଛରେ ରହିଛି ଆଉ କିଛି କାରଣ ? ତେବେ ସେ ଯାହାହେଉ ଏହାକୁ ନେଇ ଗୁଜରାଟ ରାଜନୀତି ବେଶ୍ ସରଗରମ ହୋଇଛି ।