ସୀମାନ୍ତ ଅଞ୍ଚଳର ପୋଲ । କେଉଁଠି ତିନି ଖଣ୍ଡ ବାଉଁଶରେ ତ ପୁଣି କେଉଁଠି ଦୁଇ ଖଣ୍ଡ ତାରରେ ନଦୀ ପାର ହେଉଛନ୍ତି ଲୋକ, ଦେଖିଲେ ହୋଇଯିବେ ତାଜୁବ

44

କନକ ବ୍ୟୁରୋ : ପୋଲ କହିଲେ, ଆପଣ କ’ଣ ବୁଝନ୍ତି । ବୋଧେ-ଏଇଆ ବୁଝନ୍ତି ଯେ, ନଦୀର ଉଭୟ କୁଳକୁ ଏକ କଂକ୍ରିଟ୍ ରାସ୍ତା ସଂଯୋଗ କରୁଥିବ । ଲୋକେ ଅନାୟାସରେ ଯାତାୟତ କରୁଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଦୁଇଟି ପୋଲର କଥା କହିବୁ, ଯାହା ଶୁଣିବା ପରେ ପୋଲକୁ ନେଇଥିବା ଆପଣଙ୍କ ଧାରଣା ପୁରା ବଦଳିଯିବ ।

ବର୍ଷା ଦିନରେ ଯାତାୟତର ମାଧ୍ୟମ ପାଲଟିଛି ୩ ଖଣ୍ଡ ବାଉଁଶ । ଯାହା ବୟାନ କରୁଛି ସୀମାନ୍ତ ଅଚଂଳର ବିକାଶର ଚିତ୍ର । କେଇ ଖଣ୍ଡ ବାଉଁଶ ଯେତେବେଳେ ପୋଲର ଆଖ୍ୟା ପାଏ, ସେତେବେଳେ ଏଭଳି ବିପଦ ସଂକୁଳ ଯାତ୍ରା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ବିକଳ୍ପ ନଥାଏ । ଏହି ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା କରଂଜିଆ ବ୍ଲକ୍ ଦୁଧିଆଣି ପଂଚାୟତର ।ବର୍ଷା ଆସିଲେ ଦୁଧିଆଣି ପଂଚାୟତର ୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ । ଆଉ ଲୋକେ ବାଉଁଶପୋଲ ଦେଇ ପାରି ହୁଅନ୍ତି ଦେଓ ନଦୀ । ସ୍ୱାଧୀନତାର ୭୨ ବର୍ଷ ପରେ ବି ଲୋକଙ୍କ ଦୁର୍ଦ୍ଦଶା ଉପରେ ପ୍ରଶାସନର ନିଘା ନାହିଁ । ଯାହା ସ୍ପଷ୍ଟ ଦର୍ଶାଉଛି ଏ ଅଂଚଳରେ କେମିତି ପହଂଚୁଥିବ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ।

ଠିକ୍ ସେହିଭଳି ଫୁଲବାଣୀ ଦାରିଙ୍ଗିବାଡ଼ି ବ୍ଲକ୍ ବୁରାଙ୍ଗିଆ ଗାଁର ପୋଲକୁ ଦେଖିଲେ ଆପଣଙ୍କର ପୋଲ ପ୍ରତି ଥିବା ଧାରଣା ସମ୍ପୂର୍ଣ୍ଣ ଭାବେ ବଦଳିଯିବ । କାରଣ ଏଠି ପୋଲ କହିଲେ, ଲୋକ ଦୁଇ ଖଣ୍ଡ ତାରକୁ ହିଁ ବୁଝନ୍ତି । ଗୋଟିଏ ତାରରେ ପାଦ ରଖି, ଆଉ ଗୋଟିଏ ତାରକୁ ଆଶ୍ରା କରି ଏମାନେ ପାରି ହୁଅନ୍ତି ଭରା ନଈ । ପାଦେ ପାଦେ ପୁଣି ତାର ଛିଣ୍ଡିଯିବାର ଭୟ । କିନ୍ତୁ କିଛି ବିକଳ୍ପ ନଥିବାରୁ ବିପଜ୍ଜନକ ତାର ଦେଇ ଯିବାକୁ ପଡ଼ିଥାଏ । କିନ୍ତୁ ସବୁଦିନ ସମାନ ଯାଏନି । ଯାତାୟତ ବେଳେ ତାର ପୋଲ ଛିଡିଯିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାର ଛିଡିଯିବାରୁ ମହିଳା ମାନେ ଭାସିଯିବାର ଦୃଶ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଦୃଶ୍ୟ କିଏ ଓ କେଉଁ ପରିସ୍ଥିତିରେ କଏଦ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହା ପ୍ରାଯୋଜିତ ନା ସଂଯୋଗ ବଶତଃ କ୍ୟମେରାରେ କଏଦ ହୋଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।