ଅଗ୍ନିକାଣ୍ଡରେ ଦେବଦୂତ ସାଜିଲେ ମୁମ୍ବାଇର ୧୦ ବର୍ଷୀୟା ବାଳିକା ଜେନ୍ । ତୃତୀୟ ଶ୍ରେଣୀରେ ଶିଖିଥିବା ଟିପ୍ସକୁ ଆପ୍ଲାଏ କରି ବଞ୍ଚାଇଲେ ୧୩ ଜୀବନ ।

51

ମୁମ୍ବାଇର ପରେଲ୍ ଅଞ୍ଚଳରେ ଏକ ଗଗନଚୁବି ବିଲ୍ଡିଙ୍ଗରେ ଆଜି ନିଆଁ ଲାଗିଯିବାରୁ ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ୪ଜଣଙ୍କ ଜୀବନହାନି ହୋଇଥିବା ବେଳେ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିଥାନ୍ତା ଯଦି ଠିକ ସମୟରେ ଶଷ୍ଠ ଶ୍ରେଣୀର ଜଣେ ଛାତ୍ରୀ ତାର ବୁଦ୍ଧିମତା ଦେଖାଇନଥାନ୍ତା । ନିଆଁରୁ ଲୋକମାନଙ୍କୁ ବଞ୍ଚାଇବା କଥାତ ଅନେକ ଦେଖିବାକୁ ମିଳିଛି କିନ୍ତୁ ଗୋଟିଏ ୧୦ ବର୍ଷର ଛାତ୍ରୀ ଲୋକମାନଙ୍କୁ ନିଆଁରୁ ଉଦ୍ଧାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ୧୦ ବର୍ଷିୟ ଜେନ୍ ନିଆଁରେ ଫସି ରହିଥିବା ଲୋକମାନଙ୍କ ପାଇଁ ସଂକଟ ମୋଚନ ପାଲଟିଥିଲା । ୧୦ ବର୍ଷିୟ ଜେନ୍ ମିଡିଆକୁ କହିଥିଲେ ନିଆଁରୁ ରକ୍ଷା ପାଇବା ପାଇଁ ତୃତୀୟ ଶ୍ରେଣୀରେ ସେ ଏକ ଟ୍ରିକ୍ ସିଖିଥିଲେ । ସେହି ଟ୍ରିକକୁ ବ୍ୟବହାର କରି ଜେନ୍ ଲୋକମାନଙ୍କୁ ନିଆଁ ଦାଉରୁ ରକ୍ଷା କରିଥିଲେ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ବିଲ୍ଡିଙ୍ଗରେ ନିଆଁ ଲାଗିବା ସମୟରେ ସେ ସୋଇଥିଲେ । ତାଙ୍କ ମା’ ଧୁଆଁ ଦେଖି ଜେନଙ୍କ ବାପାଙ୍କୁ ଖବର କରିଥିଲେ । ପରେ ବାପା କିଚେନ ରୁମକୁ ସୁରକ୍ଷିତ ସ୍ଥାନ ଭାବି ସେଠାକୁ ସମସ୍ତଙ୍କୁ ନେଇ ଧାଇଁଥିଲେ । କିନ୍ତୁ ବଢୁଥିବା ନିଆଁ କାରଣରୁ ଲୋକମାନେ ଏଣେତେଣେ ଦୌଡୁଥିଲେ ଯାହା ଫଳରେ କିଚେନ ରୁମରେ ପହଞ୍ଚିବା ସମ୍ଭବ ହୋଇପାରିନଥିଲା । ସବୁ ଲୋକ ବାହାରିଆସି ଗ୍ୟାଲେରିରେ ଜମା ହୋଇଯାଇଥିଲେ । ସେଥି ମଧ୍ୟରୁ କେହି କେହି ଆସ୍ତମା ରୋଗି ମଧ୍ୟ ଥିଲେ । ଅତ୍ୟଧିକ ଧୁଆଁ କାରଣରୁ ସେମାନେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲେ । ଠିକ ସେହି ସମୟରେ ଜେନ୍ ତାଙ୍କ ବୁଦ୍ଧି ପ୍ରୟୋଗ କରି ଡରିଯାଇଥିବା ଲୋକଙ୍କୁ ସାନ୍ତ କରିବା ସହ ଓଦା ରୁମାଲ ସାହାଯ୍ୟରେ ନିଶ୍ୱାସ ନେବା ପାଇଁ କହିଥିଲେ । ଜେନ୍ କହିଥିବା ଟିପ୍ସକୁ ଆପଣାଇ ୧୩ଜଣ ଲୋକ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ରଖିପାରିଥିଲେ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।