ଗୁରୁତର ହେବାରେ ଲାଗିଛ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା : ଆଶୁ ଆରୋଗ୍ୟ କାମନା କରି ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା

125

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମ୍ସରେ ଗୁରୁତର ଅଛନ୍ତି । ସେପଟେ ଅଟଳଙ୍କ ଆଶୁ ଆରୋଗ୍ୟ କାମ କରି ସାରା ଦେଶରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସାରାଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ବାଜପେୟୀ ଉତ୍ତରପ୍ରଦେଶର ଲକ୍ଷୌରୁ ବହୁଦିନ ଧରି ସାଂସଦ ଥିଲେ । ସେ ସେଠାକାର ଏକ ହନୁମାନ ମନ୍ଦିରକୁ ପୂଜାର୍ଚନା ପାଇଁ ଯାଉଥିଲେ । ଏହି ମନ୍ଦିରରେ ପ୍ରଶଂସକ ଓ ସମର୍ଥକ ବାଜପେୟୀଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଛନ୍ତି ।

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ଜାରି ହେଲ୍ଥ ବୁଲେଟିନରେ କୁହାଯାଇଛି ଯେ, ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଲାଇଭ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଛି । କିଡ୍ନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପାୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଦିନ ୧୨ଟାରେ ଏମ୍ସ ପକ୍ଷରୁ ପୁଣି ଥରେ ହେଲ୍ଥ ବୁଲେଟିନ୍ ଜାରି କରାଯିବ ।

ସେପଟେ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଖବର, ପାଇବା ପରେ ଏମ୍ସ ହସ୍ପିଟାଲରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏମ୍ସ ଯାଇ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହାଛଡ଼ା କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ, ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଂଚି, ବାଜପାୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଛନ୍ତି ।