ଅକ୍ସିଜେନ ସଂକଟ ସମୟରେ ଓଡିଶା ଓ କେରଳ ଦେଖାଇଲେ ମାନବିକତା । ଲାଂସେଟ୍ ପତ୍ରିକାର ତରଫରୁ ପ୍ରଶଂସା

135

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ସମୟରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ବେଳେ ଓଡିଶା ଓ କେରଳ ସରକାର ଯେଭଳି ଭାବେ ପାରଦର୍ଶିତା ଦେଖାଇଛନ୍ତି ତାହାକୁ ଏବେ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ଅର୍ନ୍ତଜାତୀକ ମେଡିକାଲ ଜର୍ନଲ୍  ଲାଂସେଟ୍ ପତ୍ରିକା ବି ଏହି ଦୁଇ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି   ।
ଦେଶରେ କରୋନାର ଦ୍ୱିତୀୟ ଲହର ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲେ ବି ଏପ୍ରିଲ ମାସରେ ଏହାର ପ୍ରଭାବ ସାରା ଦେଶ ଉପରେ ପଡିଥିଲା । ପ୍ରତିଟି ମେଡିକାଲରେ ଅକ୍ସିଜେନର ଅଭାବକୁ ନେଇ ଅସମ୍ଭାଳ ସ୍ଥିତି ଉପୁଜିଥିଲା । ଏଭଳି ସ୍ଥିତିରେ ଓଡିଶା ଓ କେରଳ ଅନ୍ୟ ରାଜ୍ୟ ମାନଙ୍କୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇଥିଲେ ।

ଏହାକୁ ନେଇ ଆର୍ନ୍ତଜରତୀୟ ମେଡିକାଲ ଜର୍ନଲ ଲାଂସେଟ୍ କରୋନା ସମୟରେ ଓଡିଶା ଓ କେରଳର କୋଭିଡ୍ ପରିଚାଳନା ଓ ଅନ୍ୟ ରାଜ୍ୟ ମାନଙ୍କୁ ତରଳ ଅକ୍ସିଜେନ ଯୋଗାଣକୁ ପ୍ରଶଂସା କରିଛି । ମେ ୮ ତାରିଖରେ ଲାଂସେଟ ପ୍ରତିକାର ସଂପାଦକୀୟ ପୃଷ୍ଟାରେ ‘ଭାରତରେ କୋଭିଡ-୧୯ ଇମରଜେନ୍ସି’ ରେ ଲେଖା ଯାଇଛି କି କରୋନାର ଦ୍ୱିତୀୟ ଲହରରେ ଦେଶରେ ଓଡିଶା ଓ କେରଳ ବେସ୍ ଭଲ କାମ କରିଛନ୍ତି । ଏହାସହ ଏତେ ପରିମାଣର ଅକ୍ସିଜେନ ଉତ୍ପାଦନ କରିଥିଲା କି ନିଜ ନିଜ ରାଜ୍ୟର ଅବଶ୍ୟକତାକୁ ମେଣ୍ଟାଇ ଅନ୍ୟ ରାଜ୍ୟ ମାନଙ୍କୁ ଯୋଗାଇ ଦେଇଥିଲା । ପତ୍ରିକାରେ କେରଳ ରାଜ୍ୟ ବାବଦରେ ଅଉକିଛି କଥା କୁହାଯାଇଛି । କୁହାଯାଇଛି କି କେରଳ କେବଳ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇବାରେ ନୁହେଁ । ଏହାସହ କରୋନା ସଂକଟ ବେଳେ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ଅନେକ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲା ।

କହିରଖୁ କି ପୂର୍ବ ୧୭ ଦିନ ମଧ୍ୟରେ ଓଡିଶା ସରକାର ୧୧ ଟି ରାଜ୍ୟକୁ ୪୭୩ ଟି ଅକ୍ସିଜେନ ଟ୍ୟାଙ୍କରରେ ୮୬୮୯.୬ ମେଟ୍ରିକ୍ ଟନ୍ ଅକ୍ସିଜେନ ଯୋଗାଇ ଦେଇଛି ।

ଲାଂସେଟ୍ ପତ୍ରିକାର ଏହି ସଂସ୍କରଣରେ ଓଡିଶା ଓ କେରଳ ସରକାରଙ୍କୁ କୋଭିଡ ପରିଚାଳନା ନେଇ ପ୍ରଶଂସା କରିବା ସହ କେନ୍ଦ୍ର ସରକାରଙ୍କୁ  ଭତ୍ସନା କରିଛନ୍ତି । ଏଥିରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କ ଭୁଲ ଯୋଜନା ଉପରେ ଆପତ୍ତି ଉଠାଇଛି ଲାଂସେଟ୍ ପତ୍ରିକା ।  କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ପତ୍ରିକାରେ କୁହାଯାଇଛି କି ସୁପର ସ୍ପେଡ୍ରର ମାନଙ୍କୁ ତାଗିଦ କରିବା ପରିବର୍ତ୍ତେ କରୋନା କାଳରେ ଧାର୍ମିକ ଉତ୍ସବ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଧରି ନିର୍ବାଚନ ରାଲି କରିବାକୁ ଅନୁମତି ଦେଇ ଦେଶକୁ ବିପଦ ମୁଖକୁ ଠେଲି ଦେଇଛନ୍ତି କେନ୍ଦ୍ର ସରକାର ।