ମମତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ଟିଏମସି ଓ ବିଜେପି ।

180

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର ହୋଇଛି । ଆଜି ଏହି ପ୍ରସଙ୍ଗରେ ଉଭୟ ଟିଏମସି ଓ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି । ଟିଏମସି ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ ରାଜ୍ୟରେ ଆଇନଶୃଂଖଳା ସ୍ଥିତି ନେଇ ଆପତି କରିିଛି । ଆସନ୍ତା ୨୪ ଘଂଟା ଭିତରେ ଆକ୍ରମଣ ସମୟର ଭିଡିଓ ଜାରି ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ବିଜେପି ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଘଟଣା ପାଇଁ ବିଜେପିକୁ ଦାୟୀ କରୁଛି ଟିଏମସି, ତ ଭୋଟ୍ ପାଇଁ ଏହାକୁ ମମତାଙ୍କ ଚାଲ୍ ବୋଲି ଅଭିହିତ କରିଛି ବିଜେପି । ଏସବୁ ଭିତରେ ପଶ୍ଚିମବଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ଉଭୟ ଟିଏମସି ଓ ବିଜେପିର ପ୍ରତିନିଧି ଦଳ ।

ଡେରେକ ଓବ୍ରେନଙ୍କ ନେତୃତ୍ୱରେ ଟିଏମସି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କରିଛି । ପୋଲିସ ଡିଜିଙ୍କ ବଦଳି ଏବଂ ବିଜେପି ନେତାଙ୍କ ଟୁଇଟ୍ ପରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବାରୁ , ଘଟଣାରେ ବିଜେପିର ହାତ ଅଛି ବୋଲି ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ । ସବ୍ୟସାଚୀ ଦତ ଏବଂ ଶିଶିର ବାଜୋରିଆଙ୍କୁ ନେଇ ଗଠିତ ୨ ଜଣିଆ ବିଜେପି ପ୍ରତିନିଧି ଦଳ ପଶ୍ଚିମବଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ।

ପଶ୍ଚିମବଙ୍ଗରେ ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ପରେ ଏହାକୁ ନେଇ ସାରା ଦେଶର ରାଜନୀତି ବି ଜୋର ହୋଇଛି । ଆମ ଆଦମୀ ପାର୍ଟି ଓ ଏନସିପି ଏହି କାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛି । ସେପଟେ ଘଟଣାକୁ ମମତାଙ୍କ ଆଉ ଏକ ନାଟକ ବୋଲି କହିଛି କଂଗ୍ରେସ ।

ଆସନ୍ତାକାଲି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ । ଆଜି ଏହା ଆଗରୁ ମନ୍ଦିର ବୁଲି ସୁଭେନ୍ଦୁ ପୂଜାର୍ଚନା କରିଛନ୍ତି । ଏସବୁ ଭିତରେ କିନ୍ତୁ ପଶ୍ଚିମବଙ୍ଗ ରାଜନୀତିକୁ ଅଧିକ ରୋଚକ କରିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହତ ହେବା ଖବର ।