କାହା ବଳରେ ବଳିୟାନ କନେଷ୍ଟବଳ ପ୍ରସନ୍ନ ବେହେରା? ସାଉଥ ସିଟି ବାରକୁ ବେଆଇନ ଭାବେ ଚଳାଇବା ଅଭିଯୋଗରେ ହେଲେ ଗିରଫ

145

କନକ ବ୍ୟୁରୋ: ଗିରଫ ହେଲା କରିତକର୍ମା କନେଷ୍ଟବଳ ପ୍ରସନ୍ନ ବେହେରା । ଯିଏ ଥିଲା ପୁଲିସ କନେଷ୍ଟବଳ ସଂଘର ସଂପାଦକ । ଖାକି ନାଁରେ କଳଙ୍କ । ଏହି କରିତକର୍ମା କନେଷ୍ଟବଳଙ୍କ କାରନାମା କୌଣସି ପାୱାରଫୁଲ ନେତା ମନ୍ତ୍ରୀଙ୍କଠାରୁ କିଛି କମ୍ ନଥିଲା । କୋଭିଡ ନିୟମ ଅନୁସାରେ ଯେତେବେଳେ ସମସ୍ତ ମଦ ଦୋକାନର ସଟର ପଡି ଯାଉଥିଲା ସେତେବେଳେ ବିନା ଲାଇସେନ୍ସରେ ପ୍ରସନ୍ନ ଚଳାଉଥିଲା ସାଉଥ ସିଟି ବାର । ନିଜ ପଦବୀର ଅପବ୍ୟବହାର କରି ବାର ଗର୍ଲଙ୍କୁ ଡ୍ୟାନ୍ସ ଫ୍ଲୋରରେ ନଚାଇ ବୋହି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା । ପୁଲିସର ଗେହ୍ଲା ପୁଅ ଭଳି ରାତି ତମାମ ହୋଟେଲର ଜମାଉଥିଲା ମଦର ଆସର । ଆଉ ଏସବୁରେ ତାକୁ ସହଯୋଗ କରୁଥିଲା ଗିରଫ ହୋଇଥିବା ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ।

୨୦୦୧ ଫେବ୍ରୁଆରୀ ୧୫ରେ ବାଲିଅନ୍ତା ମଦ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ସହଯୋଗ କରି ପ୍ରସନ୍ନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୨୦୧୮ରେ ପ୍ରସନ୍ନ ଜଣେ ଓକିଲଙ୍କୁ କଟକରେ ନିସ୍ତୁକ ମାଡ ମାରିବା ପ୍ରତିବାଦରେ ପୁଣି ବିବାଦକୁ ଆସିଥିଲା ।

୨୦୨୦ରେ କରୋନା କଟକଣା ବେଳେ ପ୍ରସନ୍ନ ମଦ ପିଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଚାକିରିରେ ଥାଇ ବାରମ୍ବାର କ୍ଷମତାର ଅପବ୍ୟବହାର ସାଙ୍ଗକୁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଉପରେ ୪ଥର କଳାଦାଗ ଲାଗି ସାରିଲାଣି ।

ପ୍ରତିଦିନ ଏହି ବେଆଇନ ବାରରେ ଉଡୁଥିବା ଲକ୍ଷ ଲକ୍ଷ ଟଙ୍କା ଗଲା କୁଆଡେ? କେଉଁଠି ବିନିଯୋଗ ହୋଇଛି ଏହି କୋଟି କୋଟି ଟଙ୍କା? ଏହି ଟଙ୍କା ପ୍ରସନ୍ମ ଓ ପ୍ରଦ୍ୟୁମ୍ନଙ୍କ ପାଖରେ ଅଛି ନାଁ ଏମାନଙ୍କ ଗଡ ଫାଦର ସାଜିଥିବା ବାବୁ ସବୁ ଟଙ୍କା ହଜମ କରିଛନ୍ତି? ସେମାନଙ୍କ ପାଖରେ କେବେ ପହଂଚିବ କମିଶନରେଟ ପୁଲିସ?