ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ! ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ ଦର ଆହୁରି ହେବ ମହଙ୍ଗା

36

କନକ ବ୍ୟୁରୋ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଚାହିଦା ପୁଣି ଥରେ ବଢ଼ିବାରେ ଲାଗିଛି । ବିଗତ କିଛି ସପ୍ତାହରେ ଅଶୋଧିତ ତେଲ ଦର କ୍ରମାଗତ ଭାବେ ବଢ଼ୁଛି । ଚାହିଦା ବଢ଼ିବା ଏବଂ ତୈଳ ଉତ୍ପାଦକାରୀ ରାଷ୍ଟ୍ର ସମୂହ (ଓପେକ୍‌) ପକ୍ଷରୁ ଉତ୍ପାଦନ କମ୍‌ କରାଯିବା ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଛି । ଏହି ଦୁଇ କାରଣ ଯୋଗୁଁ ଅଶୋଧିତ ତେଲ ଦର ବଢ଼ୁଛି । ଏହି ତୈଳର ବ୍ୟାରେଲ ପିଛା ଦର ବଡ଼ଦିନ ସୁଦ୍ଧା ୮୦ ଡଲାର ଟପିଯିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଏହାର ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି ।

ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏଭଳି ଭାବେ ବୃଦ୍ଧି ପାଇବ ତେବେ ଦେଶ ଭିତରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ । ଭୁବନେଶ୍ୱରରେ ଏବେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ୬୮ ଟଙ୍କା ୬୬ ପଇସା ରହିିଥିବା ବେଳେ ଡିଜେଲ ମୂଲ୍ୟ ୬୨ ଟଙ୍କା ୫୨ ପଇସା ରହିଛି । ସାଉଦି ଆରବ ଏବଂ କିଛି ପଡ଼ୋଶୀ ରାଷ୍ଟ୍ର ଭିତରେ ସମ୍ପର୍କ ଭଲ ନାହିଁ । ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାର ଉପରେ ପଡ଼ିବା ପରେ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୦ ଡଲାର ଟପିଯାଇଥିଲା । ଏହା ପରଠାରୁ ଦର କିନ୍ତୁ କ୍ରମାଗତ ଭାବେ ବଢ଼ିଚାଲିଛି ।

୨୦୧୪ ବେଳକୁ ତେଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକ ନିଜ ବଜାର ଅଂଶ ବଜାୟ ରଖିବା ପାଇଁ ଉଦ୍ୟମ କରି ବିପୁଳ ପରିମାଣର ତେଲ ଉତ୍ପାଦନ କରୁଥିଲେ । ସେହି ସମୟରେ ଏତେ ପରିମାଣର ତେଲ ବଜାରରେ ଉପଲବ୍ଧ ହୋଇଥିଲା ଯେ ତେଲ ଦର ବ୍ୟାରେଲ ପିଛା ୩୦ ଡଲାର ପାଖାପାଖି ଖସିଯାଇଛି । ଏହି ଧାରା ଦୁଇ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଲା ଯାହାର ଫାଇବା ତେଲ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକୁ ମିଳିଛି । ଭାରତ ଭଳି ଆମଦାନି ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକ କମ୍‌ ମୂଲ୍ୟ ଯୋଗୁଁ ବିଶେଷ ଭାବେ ଲାଭବାନ ହୋଇଛନ୍ତି ।୨୦୧୧ରୁ ୨୦୧୪ ଭିତରେ ଅଶୋଧିତ ତୈଳର ହାରାହାରି ବ୍ୟାରେଲ ପିଛା ଦର ୧୦୮ ଡଲାର ଥିଲା । ୨୦୧୪ରୁ ୨୦୧୭ ଭିତରେ ଅଶୋଧିତ ତୈଳର ହାରାହାରି ଦର ୬୦ ଡଲାର ପାଖାପାଖି ରହିଛି ।

petrol୨୦୧୫ ମେ’ରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୦୮ ଡଲାର ଥିଲା । ଗତ ମାସରେ ଏହି ଦର ୫୬% କମ୍‌ ହୋଇ ୫୦ ଡଲାର ପାଖାପାଖି ଥିଲା । ସେହି ସମୟରେ କିନ୍ତୁ ଭାରତରେ ପେଟ୍ରୋଲ୍‌ ଓ ଡିଜେଲ ଦର ଯାହା ଥିଲା, ଏବେ ତାହା ମାତ୍ର ୩% କମ୍‌ ରହିଛି । ଆନ୍ତର୍ଜାତିକ ବଜାରରେ ତେଲ ଦର ୫୬% କମିଥିବା ବେଳେ ସ୍ଥାନୀୟ ବଜାରରେ ଖୁଚୁରା ଦର ୩% କମ୍‌ ରହିବାର ଏକ ବଡ଼ କାରଣ ହେଉଛି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲଗାଇଥିବା ଟିକସ ।

୨୦୧୪ ଜୁନ୍‌ରେ ଏକ ଲିଟର ବ୍ରାଣ୍ଡେଡ୍‌ ପେଟ୍ରୋଲ୍‌ ଉପରେ ଉତ୍ପାଦନ ଶୁଳ୍କ ପରିମାଣ ୧୫ ଟଙ୍କା ୫୦ ପଇସା ଥିଲା । ଏବେ ତାହା ୨୨ ଟଙ୍କା ୭୦ ପଇସାରେ ପହଞ୍ଚିଛି । ସେହିପରି ବ୍ରାଣ୍ଡେଡ୍‌ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ପରିମାଣ ଲିଟର ପିଛା ୫ ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇ ୧୯ ଟଙ୍କା ୭୦ ପଇସାରେ ପହଞ୍ଚିଯାଇଛି । ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୮୦ ଡଲାର ପାଖାପାଖି ପହଞ୍ଚିବ ଏବଂ ସରକାରଙ୍କ ଟିକସ ପରିମାଣ ବର୍ତ୍ତମାନର ସ୍ତରରେ ରହିବ ତେବେ ପେଟ୍ରୋଲ୍‌ ଏବଂ ଡିଜେଲ ଦରରେ ୧୦-୧୨ ଟଙ୍କାର ବୃଦ୍ଧିକୁ ଅସ୍ୱୀକାର କରିହେବ ନାହିଁ ।