ଖୁସି ହୋଇଗଲେ ଚାଷୀ । ନବୀନଙ୍କ ରାସ୍ତା ଆପଣାଇଲେ ମୋଦି, କାଳିଆ ବଢିଲା, କିଷାନ ବଢିଲା ।

1,365

କନକ ବ୍ୟୁରୋ : ନବୀନଙ୍କ ରାସ୍ତାରେ ମୋଦି । ନିର୍ବାଚନ ପୂର୍ବରୁ ରାଜ୍ୟରେ ନବୀନ କାଳିଆ ଯୋଜନା ଆଣି କୃଷକଙ୍କ ମନ ଜିଣିଥିଲେ । ଆଉ କେନ୍ଦ୍ରରେ ସମାନ ଫର୍ମୁଲା ଆପଣାଇଥିଲେ ମୋଦି । ପିଏମ କିଷାନ ଯୋଜନାର ଘୋଷଣା କରି କୃଷକ କାର୍ଡ ଖେଳିଥିଲେ ମୋଦି ସରକାର । ନିର୍ବାଚନ ପୂର୍ବରୁ ଏହି କୃଷକ କାର୍ଡ ଉଭୟ ନବୀନ ଓ ମୋଦିଙ୍କୁ ଆଣି ଦେଇଥିଲା ବଡ ସଫଳତା । ଆଉ ଏବେ ନିର୍ବାଚନ ପରେ ମଧ୍ୟ ପୁଣିଥରେ ନବୀନଙ୍କ ରାସ୍ତାରେ ଯାଇଛନ୍ତି ମୋଦି ।

ନିର୍ବାଚନ ପୂର୍ବରୁ କାଳିଆ ଯୋଜନାର ଘୋଷଣା କରି ପୂରା ଦେଶକୁ ଚକିତ କରି ଦେଇଥିଲେ ନବୀନ । ଯେତେବେଳେ କୃଷି ଋଣ ଛାଡ କରିବା ନେଇ ଚାରିଆଡୁ ଦାବି ଉଠୁଥିଲା ସେତେବେଳେ ନବୀନ କୃଷକଙ୍କୁ ସ୍ୱାବଲମ୍ବୀ ସହ ଆର୍ଥିକ ସହାୟତା କରିବାକୁ କାଳିଆ ଯୋଜନାର ଘୋଷଣା କରିଥିଲେ । ଏହାଥିଲା ରାଜ୍ୟର ଚାଷୀ ପରିବାରକୁ ନବୀନଙ୍କ ସବୁଠୁ ବଡ ଉପହାର । କାଳିଆ ଯୋଜନାରେ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଥିଲେ ନବୀନ । ପ୍ରାୟ ୪୨ ଲକ୍ଷ ଚାଷୀ ପରିବାରକୁ ଏହି ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନବୀନ । ନିର୍ବାଚନ ପୂର୍ବରୁ କିଛି ଚାଷୀ ପରିବାରକୁ କାଳିଆ ଯୋଜନାରେ ଟଙ୍କା ମଧ୍ୟ ମିଳିଥିଲା । କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି କାଳିଆ ଯୋଜନା ଉପରେ ୨ ମାସ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ଯେଉଁଥିପାଇଁ ବଳକା ଚାଷୀ ପରିବାର ପାଖରେ ପହଞ୍ଚି ପାରିନଥିଲା କାଳିଆ ଟଙ୍କା । ତେବେ ସରକାର ଗଠନର ପ୍ରଥମ ଦିନରେ ହିଁ ବଳକା ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ନବୀନ ।

ନବୀନଙ୍କ କାଳିଆ ଯୋଜନା ଘୋଷଣାର କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର କୃଷକଙ୍କୁ ଭେଟି ଦେଇଥିଲେ ପିଏମ କିଷାନ ଯୋଜନା । କାଳିଆ ଯୋଜନା ଭଳି ପିଏମ କିଷାନ ଯୋଜନାରେ ମଧ୍ୟ ଦେଶର ୧୨ କୋଟି ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସୃଦୃଢ କରିବା ପାଇଁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ଚିହ୍ନଟ କରି ପିଏମ କିଷାନ ଯୋଜନାରେ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ମୋଦି । ବାର୍ଷିକ ୩ଟି କିସ୍ତିରେ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ପିଛିଲା ଭାବେ ଏହି ଯୋଜନାରେ ଚାଷୀଙ୍କ ପାଖରେ ପହଞ୍ଚିଥିଲା ପ୍ରଥମ କିସ୍ତିର ଟଙ୍କା ।

କାଳିଆ ଓ କିଷାନ ଯୋଜନା ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ବାଚନରେ ବଡ ଫାଇଦା ଦେଇଥିଲା । ତେବେ ନିର୍ବାଚନ ପରେ ପ୍ରତିଶୃତି ମୁତାବକ ସରକାର ଗଠନର ପ୍ରଥମ ଦିନରେ କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ନବୀନ । ଆଉ ଏହାସହ ସରପ୍ରାଇଜ ଗିଫ୍ଟ ଭାବେ କାଳିଆ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୪୨ ଲକ୍ଷରୁ ୭୫ ଲକ୍ଷ କରାଯିବ ବୋଲି କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତି ନେଇଥିଲେ ନବୀନ । ଆଉ ଏଭଳି କରି ନବୀନ ପୁଣିଥରେ କଥାରେ ନୁହେଁ ବରଂ କାମରେ କରି ଦେଖାନ୍ତି ବୋଲି ଦର୍ଶାଇଥିଲେ ।

ଆଉ ରାଜ୍ୟରେ ନବୀନଙ୍କ ଏହି ଥିଓରୀକୁ ପୁଣିଥରେ କେନ୍ଦ୍ରରେ ଆପଣାଇଛନ୍ତି ମୋଦି । ଆଜି ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ପିଏମ କିଷାନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ଅନୁମୋଦନ କରିଛନ୍ତି ମୋଦି ସରକାର । ୧୨ କୋଟି ବଦଳରେ ୧୪.୫ କୋଟି ଚାଷୀଙ୍କୁ ପିଏମ କିଷାନ ଯୋଜନାରେ ଅର୍ନ୍ତଭୃକ୍ତ କରାଯିବ ବୋଲି ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି କେଉଁଠି ନା କେଉଁଠି ନବୀନଙ୍କ ନିଷ୍ପତି ସହ ମେଳ ଖାଉଛି ।