ଓକିଲଙ୍କ ଭଳି ପୀଡିତ ପରିବାରକୁ ପ୍ରଶ୍ନ ପଚାରିଲେ ନେତା, ଭାଇରାଲ ହେଲା ଭିଡିଓ । ସମବେଦନା ବଦଳରେ ଜେରା କଲା ଭଳି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳର ନେତା ।

180

କନକ ବ୍ୟୁରୋ: ଚର୍ଚ୍ଚାରେ ନେତାଙ୍କ ଓକିଲ ଷ୍ଟାଇଲ । ପୁଲିସ୍ ଢ଼ଙ୍ଗରେ ନେତା ପ୍ରଶ୍ନ କରିଛନ୍ତି । ଆଉ ପ୍ରଶ୍ନର ଉତର ପାଇବା ପରେ ପୁଣି ପାଲଟା ପ୍ରଶ୍ନ କରିଛନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯାଇଥିଲା କଂଗ୍ରେସ ଟିମ୍ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରୀର ମା-ବାପାଙ୍କୁ ଏଭଳି କିଛି ଢ଼ଙ୍ଗରେ ଜେରା କରିଥିଲେ, ଠିକ୍ ଯେମିତି ପୁଲିସ୍ କରିଥାଏ ।

ଚିତ୍ର ହେଉଛି ନୟାଗଡ଼ ଜିଲ୍ଲା ଯଦୁପର ଗାଁର । ପରୀ ପରିବାରଙ୍କୁ ଭେଟିବା ପାଇଁ ଆସିଥିଲେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍ । ଆଉ ଠିକ୍ ଏହି ସମୟରେ ଭଳି କିଛି ଚିତ୍ର ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

-ପରୀକୁ ଶେଷ ଥର ପାଇଁ ଦେଖିଥିଲା କିଏ?
-ନିଖୋଜ ସମ୍ପର୍କରେ ଘର ଲୋକ ଜାଣିଲେ କେମିତି?
-ଏସଆଇଟି ମୁଖ୍ୟ କେବେ କେବେ ଆସିଥିଲେ?

ଠିକ୍ ପୁଲିସ୍ ଅଧିକାରୀଙ୍କ ଷ୍ଟାଇଲ୍ରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମସ୍ତେ ଜାଣନ୍ତି ନରସିଂହ ମିଶ୍ର, ଜଣେ ନାଁ କରା ଓକିଲ । ଆଉ କଂଗ୍ରେସ ଟିମ୍ ଯଦୁପର ଗସ୍ତ ବେଳେ ନରସିଂହଙ୍କ ମୂଳ ପେଶାର କିଛି ଝଲକ ଦେଖିବାକୁ ମିଳିଥିଲା । ପୁଲିସ୍ ଜେରାଠୁ ହୁଏତ ବଳିଯାଇଥିଲା ଓକିଲ ଜେରା ।

-ସେ କେତେ ବଡ଼, ଯିଏ ଏଠି ବସିଥିବା ଦେଖିିଥିଲେ
-ସପ୍ତମ, ଅଷ୍ଟମ ପଢୁଛି
-କାଗଜରେ ନାଁ ଲେଖାହେଉଛି ନା?

ପରୀ ନିଖୋଜ ହେବା ପୂର୍ବରୁ କିଏ ଦେଖିଥିଲେ । ତାଙ୍କ ବୟସ କେତେ । ନିଖୋଜ ହେବା ପରେ କାହାକୁ ପଚାରିଥିଲେ? ପରୀର ବାପା-ମାଙ୍କୁ ଏମିତି ଏକାଧିକ ପ୍ରଶ୍ନ କରିଥିଲେ ନରସିଂହ ମିଶ୍ର । ବଡ଼ କଥା ହେଉଛି- ପ୍ରଶ୍ନର ଉତରକୁ ନେଇ ପୁଣି ପାଲଟା ପ୍ରଶ୍ନ କରୁଥିଲେ । ଲାଗୁଥିଲା ଯେମିତି ସେ, ପରିବାରଙ୍କୁ ସମବେଦନା ଦେବା ବଦଳରେ ଜେରା କରିବା ପାଇଁ ଆସିଛନ୍ତି ।

-ତୁମେ ଯେତେବେଳେ ଦେଖିଲ ନାହିଁ, କାହାକୁ ପଚାରିଥିଲ
-ସାହି ସାରା ପଚାରିଛି, କେହି କହିନାହାଁନ୍ତି
-ତା ମାନେ ଦେଖିଥିଲେ ବି କହୁ ନାହାଁନ୍ତି
-ତୁମେ ଆଗକୁ ପଳେଇ ଯାଉଉଛ । ଦେଖିଥିଲେ ବି କହୁ ନାହାଁନ୍ତି, ନ ଦେଖିଥିଲେ ବି କହୁନାହାଁନ୍ତି
-ଆପଣଙ୍କ ଧାରଣା ସେମାନେ ଭୟ ପାଇଁ କହୁନାହାଁନ୍ତି
-ଭୟ ତ ଦେଖାଇଛନ୍ତି

ପରୀ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ, ଏସ୍ଆଇଟି କରୁଛି । ତେବେ ଏସ୍ଆଇଟିମ୍ ମୁଖ୍ୟ ଅରୁଣ ବୋଥ୍ରା କିମ୍ବା ତାଙ୍କ ଟିମ୍ କେବେ କେବେ ଆସିଛନ୍ତି? ତଦନ୍ତର ଦିଗ କେମିତି ଚାଲିଛି, ସେନେଇ ମଧ୍ୟ ପରୀର ମା-ବାପାଙ୍କୁ ପଚରାବୁଝିଛନ୍ତି ନରସିଂହ ।

-ଡେଲି ଆସୁଛନ୍ତି, ଏବେ କହୁଛ ଡେଲି ଆସୁଛନ୍ତି
-କାଲି ଆସିବା ଆମେ ଦେଖିଛୁ
-ସେ କଥା କହୁନ ଡେଲି କାହିଁକି କହୁଛ
-ମୁଁ ଆଇଜିଙ୍କ କଥା ପଚାରୁଛି
-ଏଥିରେ ଆଉ ଅବୁଝା କଣ ରହିଲା ।

ଏସବୁ ଭିତରେ ପ୍ରଶ୍ନ ହେଉଛି- ପୀଡ଼ିତ ପରିବାରଙ୍କୁ ସମବେଦନା ଦେବା ପାଇଁ ହୁଏ ନେତାଙ୍କ ଗସ୍ତ ନା’ ପଛରେ ଥାଏ ଆଉ କିଛି ଉଦ୍ଦେଶ୍ୟ?