ପରୀକୁ ମାରିଛି କିଏ ? ପିଶାଚ ପାଖେ ପହଞ୍ଚାଇବ କି ରକ୍ତ ନମୁନା । ଯଦୁପୁର ଗାଁର ୨୮ ଯୁବକଙ୍କ ରକ୍ତନମୁନା ସଂଗ୍ରହ କଲା ଏସଆଇଟି ।

324

କନକ ବ୍ୟୁରୋ: ପରୀ ମାମଲାରେ ଏସଆଇଟିର ତନାଘନା ଜାରି ରହିଛି, ହେଲେ ସେପରି କିଛି ବଡ଼ ସୁରାଗ ଏପର୍ଯ୍ୟନ୍ତ ତଦନ୍ତକାରୀ ଟିମକୁ ମିଳିନାହିଁ । ହତ୍ୟାକାରୀ ନିକଟରେ ପହଂଚିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛି । ତେବେ ମର୍ଡର ପ୍ଲଟ୍ ପାଖରେ ପହଁଚିପାରିନି ଏସଆଇଟି । ଯଦୁପୁର ଗାଁର ୧୫ରୁ ୩୦ ବର୍ଷ ବୟସ୍କ ୨୮ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । କାହିଁକି ରକ୍ତ ନମୁନା ସଂଗ୍ରହ ହେଉଛି, ଏ ନେଇ ଏସଆଇଟି କିଛି କହୁନାହିଁ ।

ତେବେ ଅନୁମାନ କରାଯାଉଛି ଯେ ପରୀ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷରୁ ଯଦି କୌଣସି ବ୍ୟକ୍ତିର ରକ୍ତ ନମୁନା ମିଳିଥିବ, ସେଭଳି ସ୍ଥିତିରେ ରକ୍ତ ନମୁନାରୁ ବଡ଼ ସୁରାଗ ମିଳିପାରେ । କେବଳ ରକ୍ତ ନମୁନା ନୁହେଁ, ଗାଁ ଲୋକଙ୍କ ପ୍ରୋଫାଇଲ ବି ପ୍ରସ୍ତୁତ କରୁଛି ଏସଆଇଟି । ଗାଁରେ କେଉଁମାନେ ରହିଛନ୍ତି, ପରୀର ହତ୍ୟା ସମୟ ପୂର୍ବରୁ ଓ ପରେ କେଉଁମାନେ ଗାଁକୁ ଆସିଛନ୍ତି ବା ଗାଁରୁ ଯାଇଛନ୍ତି, ତା’ର ଟିକିନିଖି ତଥ୍ୟ ରଖାଯାଉଛି । କୌଣସି ଠୋସ ପ୍ରମାଣ ନଥିବାରୁ ମାମଲାର ସମାଧାନ ଏସଆଇଟି ପାଇଁ ବଡ଼ ଚ୍ୟାଲେଂଜ ହୋଇଛି ।

ସେପଟେ ମାମଲାର ସମାଧାନ ପାଇଁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ସମୟ ମାଗିଥିଲେ । ତେଣୁ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ ଆଗକୁ ନେଉଛି ଏସଆଇଟି । ଏପଟେ ଭୁବନେଶ୍ୱରରେ ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛି ବିଜେପି ।