LoCରେ ପଇଁତରା ମାରିଲା ପାକିସ୍ତାନ ହେଲିକପ୍ଟର ! ଭାରତୀୟ ପୋଷ୍ଟର ୩୦୦ ମିଟର ପାଖକୁ ଚାଲିଆସିଲା ପାକ୍ ହେଲିକପ୍ଟର, କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନାର ପ୍ରସ୍ତୁତି

32

ସୁଧୁରୁନାହିଁ ପାକିସ୍ତାନ । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତି ସୃଷ୍ଟି କରୁଛି ପାକିସ୍ତାନ । ଏପରିକି ଭାରତକୁ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛି ପାକିସ୍ତାନ । ଏଭଳି ସମୟରେ ବୁଧବାର ଜମ୍ମୁ-କାଶ୍ମୀରର ପୁଞ୍ଝ ସେକ୍ଟର ସ୍ଥିତ ଭାରତୀୟ ପୋଷ୍ଟର ୩୦୦ ମିଟର ଅଞ୍ଚଳରେ ପଇଁତରା ମାରିଥିଲା ପାକିସ୍ତାନ ହେଲିକପ୍ଟର ।

ସୂଚନା ଅନୁଯାୟୀ, ଆଜି ପାକିସ୍ତାନର ତିନିଟି ହେଲିକପ୍ଟର ଏକାସଙ୍ଗରେ ଉଡାଣ ଭରିଥିଲା । କିନ୍ତୁ ଏହା ମଧ୍ୟରୁ ଗୋଟିଏ ହେଲିକପ୍ଟର ସକାଳ ପ୍ରାୟ ୯.୪୫ ସମୟରେ ନିୟମ ଭାଙ୍ଗି ଏଲଓସିର ୩୦୦ ମିଟର ପାଖକୁ ଚାଲି ଆସିଥିଲା । ଏମଆଇ-୧୭ର ଏହି ହେଲିକପ୍ଟରଟି ପୁଞ୍ଝ ସେକ୍ଟର ପୋଷ୍ଟ ପଯ୍ୟନ୍ତ ଚାଲି ଆସିଥିଲା । ଏହାପରେ ଭାରତୀୟ ସେନା ପାକିସ୍ତାନ ହେଲିକପ୍ଟରକୁ ଟ୍ରାକ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତ ହେଉଛି ।

ନିୟମ ମୁତାବିକ କୌଣସି ୱିଙ୍ଗ ହେଲିକପ୍ଟର ଏଲଓସିର ୧୦ କିଲୋମିଟର ମଧ୍ୟରେ ବୁଲି ପାରିବ ନାହିଁ । ଏହାଛଡା ରୋଟାରୀ ୱିଙ୍ଗ ହେଲିକପ୍ଟର ସୂଚନା ନ ଦେଇ ଏଲଓସିର ୧ କିଲୋମିଟରକୁ ମଧ୍ୟ ଆସି ପାରିବ ନାହିଁ । କିନ୍ତୁ ପାକିସ୍ତାନ ହେଲିକପ୍ଟର ଏହି ସବୁ ନିୟମକୁ ପଛରେ ପକାଇ ଏଲଓସିର ୩୦୦ ମିଟର ମଧ୍ୟକୁ ପ୍ରବେଶ କରି ଅସ୍ୱାଭାବିକ ଭାବେ ପଇଁତରା ମାରିଥିଲା । କିନ୍ତୁ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପାକିସ୍ତାନ ହେଲିକପ୍ଟର ନିଜ ସୈନ୍ୟ ଶିବିର ନିରୀକ୍ଷଣ କରି ଚାଲି ଯାଇଥିଲା ।