ସମ୍ପର୍କ ତୁଟିଲା, ସମଝୌତା ଅଟକିଲା । ପାକିସ୍ତାନର କଡା କୂଟନୈତିକ ଆଭିମୁଖ୍ୟ ପରେ ଅଧାରେ ଅଟକାଇ ଦେଲା ସମଝୌତା ଏକ୍ସପ୍ରେସ ।

ଦେଶ ବିଭାଜନର ୭୨ ବର୍ଷ ପରେ ପୁଣିଥରେ ଟ୍ରେନକୁ ଟାର୍ଗେଟ୍ କରିଛି ପାକିସ୍ତାନ ।

344

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ଆଜି ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଛି । ବୁଧବାର, ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିବା ସହ କୂଟନୈତିକ ସମ୍ପର୍କ ହ୍ରାସ କରିବାକୁ ପାକିସ୍ତାନ ଘୋଷଣା କରିଥିଲା । ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ନୂଆଦିଲ୍ଲୀରେ ଥିବା ପାକ୍ ହାଇକମିଶନରଙ୍କୁ ଫେରାଇନେଇଥିଲା । ଆଜି ସମଝୌତା ଏକ୍ସପ୍ରେସ ବନ୍ଦ ରଖିଛି ପାକିସ୍ତାନ । ପାକିସ୍ତାନର ଏହିପରି ଏକପାକ୍ଷିକ ନିଷ୍ପତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ହିନ୍ଦୀ ଚଳଚିତ୍ରରେ ଭାରତ-ପାକିସ୍ତାନ ବିଭାଜନ ସମୟର ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲେ ଆଜି ବି ଛାତି ଥରିଯାଏ । ଦୁଇ ଅଂଚଳ ଭିତରେ ଚାଲୁଥିବା ଟ୍ରେନରେ ଆସୁଥିଲା ଶହ ଶହ ଲୋକଙ୍କ ଶବ । ସେହି ଦୃଶ୍ୟ ଯେତିକି ବିଭତ୍ସ ଥିଲା, ସେତିକି ଥିଲା ହୃଦୟ ବିଦାରକ । ହେଲେ ଟ୍ରେନ୍ ଚଳାଚଳକୁ ସେତେବେଳେ ରୋକା ଯାଇନଥିଲା, କାରଣ ଦୁଇ ଦେଶର ଅଧିବାସୀ ଓ ସେମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟପଥରେ ପହଁଚାଉଥିଲା ଏହି ଟ୍ରେନ ।

୭୨ ବର୍ଷ ପରେ, ଟ୍ରେନକୁ ଟାର୍ଗେଟ କଲା ପାକିସ୍ତାନ । ଦେଶ ବିଭାଜନର ୭୨ ବର୍ଷ ପରେ ପୁଣିଥରେ ଟ୍ରେନକୁ ଟାର୍ଗେଟ୍ କରିଛି ପାକିସ୍ତାନ । ୩୭୦ ଧାରା ହଟିବା ପରେ ପାକିସ୍ତାନ ଏଭଳି ବିବ୍ରତ ହୋଇଯାଇଛି ଯେ ଦୁଇ ଦେଶକୁ ଯୋଡୁଥିବା ସମଝୌତା ଟ୍ରେନରେ ମଧ୍ୟ ଲଗାଇ ଦେଇଛି ବ୍ରେକ୍ ।

ଗୁରୁବାର ଦିନ ଗୋଟାଏ । ଅଧାରେ ଅଟକିଲା ‘ସମଝୌତା’ । ଅଟକି ରହିଲେ ପ୍ରାୟ ୧୧୦ ଜଣ ଯାତ୍ରୀ । ୱାଘା ବର୍ଡରରେ ସମଝୌତା ଟ୍ରେନ୍ ପହଁଚିବା ପରେ ଅଟକି ଯାଇଥିଲା ସମଝୌତା ଏକ୍ସପ୍ରେସ୍ । କାରଣ ପାକିସ୍ତାନର କ୍ରିଉ ମେମ୍ବର ଭାରତ ପଟକୁ ଯିବା ପାଇଁ ମନା କରିଦେଲେ । ଭାରତର ଡ୍ରାଇଭର ଓ କର୍ମଚାରୀ ଆସି ଟ୍ରେନ୍ ନେବାକୁ ଦାବି କରିଥିଲେ । ୪ ଘଂଟା ଅଟକିବା ପରେ ଭାରତ ଇଂଜିନ ପଠାଇ ଟ୍ରେନକୁ ସୀମା ପାର କରାଇଥିଲା ।

ଟ୍ରେନ୍ ଅଟକାଇଲା, ସଂପର୍କ କାଟିଲା । ଧାରା ୩୭୦ ହଟିବା ପରେ ପାକିସ୍ତାନରେ କମ୍ପନ । ଦ୍ୱିପାକ୍ଷିକ ସଂପର୍କକୁ ଛିନ୍ନ କରିବାକୁ ନିଷ୍ପତି ନେଇଛି ପାକିସ୍ତାନ । ଜାତୀୟ ସୁରକ୍ଷା କମିଟି ବୈଠକ ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।

୧.କୁଟନୈତିକ ସଂପର୍କ ଛିନ୍ନ
୨.ଭାରତୀୟ ରାଷ୍ଟ୍ରଦୂତକୁ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ
୩.ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ଉପରେ ଅଙ୍କୁଶ
୪.ଅକାଶପଥରେ କଟକଣା
୫.ଭାରତ ବିରୋଧରେ ଜାତିସଂଘରେ କରିବ ଗୁହାରି

ପାକିସ୍ତାନର ଏହିପରି ଏକପାକ୍ଷିକ ନିଷ୍ପତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଭାରତ ଅଭିଯୋଗ କରିଛି ଏପରି ସ୍ଥିତି ସୃଷ୍ଟି କରି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ପାକିସ୍ତାନ । କାଶ୍ମୀର ପ୍ରସଙ୍ଗ ଭାରତର ଅଭ୍ୟନ୍ତରଣ ବ୍ୟାପାର ବୋଲି ସ୍ପଷ୍ଟ କରିଛନ୍ତି ସରକାର । ୩୭୦ ଧାରା ହଟାଇବା, ଜାମ୍ମୁ କାଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଂଚଳ କରାଯିବା ପରେ ପାକିସ୍ତାନରେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଛି । କାଶ୍ମୀର ହାତଛଡ଼ା ହେବା ଭୟରେ ବିବ୍ରତ ହୋଇ ପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।