ପାକସ୍ତାନକୁ ମହଙ୍ଗା ମାଡ଼ : ଇମ୍ରାନ ସରକାର ଲଗାଇଲେ ଟାକ୍ସ, ଆକାଶଛୁଆଁ ହେବ ଖାଦ୍ୟ ସାମଗ୍ରୀ ଦର

452

କନକ ବ୍ୟୁରୋ : ସଙ୍କଟରେ ପାକିସ୍ତାନ ଅର୍ଥବ୍ୟବସ୍ଥା । ପୂର୍ବରୁ ଋଣ ବୋଝ ସମ୍ଭାଳି ପାରୁନଥିବା ପାକିସ୍ତାନ ପାଇଁ ନୂଆ ବିପଦ ଦେଖାଦେଇଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଇମ୍ରାନ ସରକାର ଗତକାଲି ବଜେଟ୍ ଉପସ୍ଥାପନ କରିଛନ୍ତି । ସରକାରଙ୍କ ପାଇଁ ବର୍ଦ୍ଧିତ ଋଣ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏସବୁରୁ ରକ୍ଷା ପାଇବା ପୂର୍ବରୁ ଜନତାଙ୍କ ମୁଣ୍ଡରେ ପୁଣି ଦରଦାମ ବୃଦ୍ଧିର ଚଡ଼କ ପଡ଼ିବ । ପାକିସ୍ତାନ ସରକାର ବଜେଟରେ ଅନେକ ନୂଆ ଟାକ୍ସ ଲଗାଇଛନ୍ତି । ନୂଆ ନୀତି ଅନୁସାରେ ପାକିସ୍ତାନରେ ଦରଦାମ ବୃଦ୍ଧି ହେବାସହ ଅର୍ଥବ୍ୟବସ୍ଥା ମଧ୍ୟ ଧୀର ହୋଇଯିବ । ଆଗାମୀ ସମୟରେ ପାକିସ୍ତାନ ପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ ।

ଦରଦାମ ବୃଦ୍ଧିର ବୋଝ ତଳେ ଚାପିହେବେ ପାକିସ୍ତାନ ଜନତା । ପଡୋଶୀ ଦେଶ ଅଣ୍ଟା ସଳଖି ଛିଡ଼ା ହେବା ପୂର୍ବରୁ ପୁଣି ଦରଦାମ ବୃଦ୍ଧିରେ ଘାଣ୍ଟି ହେବେ । ଆଗାମୀ ଆର୍ଥିକ ବର୍ଷ ପାଇଁ ୩୬. ୫ ଆରବ ଡଲାରର ରାଜସ୍ୱ ଲକ୍ଷ୍ୟରେ ପାକିସ୍ତାନବାସୀଙ୍କ ଉପରେ କର ଲାଗୁ କରାଯାଇଛି । ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଟାକ୍ସ ବୃଦ୍ଧି କରାଯାଇଛି । ରାଜସ୍ୱ ଆଦାୟ ଲକ୍ଷ୍ୟରେ ବଢ଼ିଛି କର । ପ୍ରାୟ ୨୧ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରୁ ମାତ୍ର ୨୦ ଲକ୍ଷ ଲୋକ ଆୟକର ଭରୁଛନ୍ତି । ନୂଆ ପାକିସ୍ତାନ ପାଇଁ ତଥା ଦେଶକୁ ଆଗେଇ ନେବାପାଇଁ ଟାକ୍ସରେ ସୁଧାର ଆଣିବାପାଇଁ ପଡ଼ିବ ବୋଲି କହିଛନ୍ତି ପାକ୍ ଅର୍ଥମନ୍ତ୍ରୀ ।

ତେବେ ନୂଆ ପାକିସ୍ତାନ ଗଢ଼ିବା ଦିଗରେ ଜନତାଙ୍କୁ ଅଣଦେଖା କରିଦେଇଛନ୍ତି ପାକ୍ ସରକାର । ସାଧାରଣ ଜନତାଙ୍କୁ ମୁସ୍କିଲ ବଢ଼ିବା କଥା ସ୍ପଷ୍ଟ ଜଣାପଡ଼ୁଛି । ଟାକ୍ସ ଯୋଗୁଁ ଚା’ ରୁ ଆରମ୍ଭ କରି ଚିନି ପର୍ଯ୍ୟନ୍ତ ସମସ୍ତ ସାଧାରଣ ବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ହୋଇଯିବ । ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ସମସ୍ତ ସିରପର ଦର ମଧ୍ୟ ବୃଦ୍ଧି ପାଇବ ।