ଓଲିଉଡରେ ଝୁଲୁଛି ତାଲା, ଚିନ୍ତାରେ ସିନେ କଳାକାର । ବନ୍ଦ ରହିଛି ସିନେମା ହଲ. କେବେ ଫେରିବ ପୁରଣା ଦିନ ?

226

କନକ ବ୍ୟୁରୋ : ମହାମାରୀ କରୋନା ଓଡିଆ ଫିଲ୍ମ ଶିଳ୍ପକୁ ବଡ ଧକ୍କା ଦେଇଛି । ସିନେମା ହଲ ବନ୍ଦ, ସୁଟିଂ ବି ବନ୍ଦ । ଫଳରେ ରାଜ୍ୟର ମନୋରଞ୍ଜନ ଶିଳ୍ପରେ ଏକପ୍ରକାର ତାଲା ପଡି ଯାଇଛି । ଏବେ କଳାକାରଙ୍କର ଚାପ ପରେ ସୁଟିଂ ପାଇଁ କଟକଣାକୁ କୋହଳ କରିଛନ୍ତି ସରକାର । ଏହାକୁ ସ୍ୱାଗତ କରାଯାଉଥିବାବେଳେ ବଡ ପ୍ରଶ୍ନ ଉଠୁଛି, ତୃତୀୟ ଲହର ଭୟ ଭିତରେ ପୂର୍ବାବସ୍ଥାକୁ ଫେରିବ କି ମନୋରଞ୍ଜନ ଶିଳ୍ପ ।

ବିପର୍ଯ୍ୟୟ ଭିତରେ ଓଲିଉଡ ଇଣ୍ଡଷ୍ଟ୍ରି । ନା ନୂଆ ପ୍ରୋଜେକ୍ଟ ଆସୁଛି ନା ଷ୍ଟାର ଖୋଲୁଛନ୍ତି ମୁହଁ । ଓଲିଉଡରେ ରିଲିଜ ହୋଇଥିବା ଶେଷ ଫିଲ୍ମ ଓୟେ ଗୀଟାର । ଏହା ପରେ ମେ ମାସରୁ ରାଜ୍ୟରେ ସିନେମାହଲ ବନ୍ଦ, ସୁଟିଂ ବି ବନ୍ଦ । କରୋନାରେ ବୋଧହୁଏ ବେଶୀ ପ୍ରଭାବିତ ହୋଇଛି ରାଜ୍ୟର ମନୋରଞ୍ଜନ ଶିଳ୍ପ । ବିଶେଷକରି କମ୍ ବଜେଟରେ ପ୍ରସ୍ତୁତ ହେଉଥିବା ଓଡିଆ ଫିଲ୍ମ ଓ ଧାରାବାହିକର କଳାକାର ଓ ଟେକ୍ନିସିଆନ୍ସଙ୍କ କରୋନା ମାଡରେ ଜୀବିକା ବେଶ ପ୍ରଭାବିତ ହୋଇଥିଲା ।

କଳାକାରଙ୍କ ଦାବି ଶେଷରେ ସରକାରଙ୍କ କାନରେ ବାଜିଛି । କିଛିଦିନ ତଳେ କଳାକାରମାନେ ଏକାଠି ହୋଇ କରୋନା କଟକଣା ମଧ୍ୟରେ ସୁଟିଂକୁ ଅନୁମତି ଦେବାକୁ ଦାବି କରିଥିଲେ । ଏବେ ସରକାରଙ୍କ ଆଉଟଡୋର ସୁଟିଂ ପାଇଁ ଅନୁମତି ପରେ ଫିଲ୍ମ ଓ ଟେଲିଭିଜନ ଶିଳ୍ପ ପୁଣି ଥରେ ଚଳଚଞ୍ଚଳ ହେବା ଆଶା କରାଯାଉଛି ।

ଗତ ବର୍ଷେ ଧରି ଓଲିଉଡର ଆଗଧାଡିର ନାୟକନାୟିକା ମାନେ ମୁହଁ ଖୋଲୁନାହାନ୍ତି । ସୋସିଆଲ ମିଡିଆରେ ନିଜର ଆଗାମୀ ପ୍ରୋଜେକ୍ଟ ନେଇ କୌଣସି ପୋଷ୍ଟ ବି କରୁନାହାନ୍ତି । କରୋନା ମାଡରେ ଯେତେବେଳେ ପୁରା ଶିଳ୍ପ ପ୍ରଭାବିତ ହୋଇଛି, ସେତେବେଳେ କେଉଁ ଷ୍ଟାର ସମାଜସେବାରେ ବ୍ୟସ୍ତ ତ ଆଉ କିଏ ରାଜନୀତିରେ । କିଏ ପାରିବାରିକ କଳହକୁ ନେଇ ଚିନ୍ତାରେ ତ ଆଉ କିଏ ନୀରବ ରହିଛି । ଯାହା ଏହି କ୍ଷେତ୍ର ସଙ୍କଟରେ ଥିବା କଥାକୁ ପ୍ରମାଣିତ କରୁଛି ।

ମୁମ୍ବାଇ ଓ ଦକ୍ଷିଣ ଭାରତ ଅପେକ୍ଷା ଓଲିଉଡ ଶିଳ୍ପର ପରିସର ଯଥେଷ୍ଟ କମ୍ । କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ସିଟରେ ସିନେମା ହଲ୍ ଖୋଲିବାକୁ ମିଳିଥିଲା ଅନୁମତି । ଦୁଇବର୍ଷ ହେଲା ଦଶହରା ଓ ରଜ ଭଳି ସମୟରେ ବି କୌଣସି ଫିଲ୍ମ ରିଲିଜ ହୋଇନଥିଲା । ମୁମ୍ବାଇରେ ସିରିଏଲର ଏପିସୋଡ୍ ପିଛା ୮ ଲକ୍ଷ ଖର୍ଚ୍ଚ ହେଉଥିବାବେଳେ ଓଡିଶାର ଏହା ହେଉଛି ୮୦ ହଜାରରୁ କମ୍ ।

ଏବେ କରୋନା ଯୋଗୁଁ ଓଟିଟି ପ୍ଲାଟଫର୍ମରେ ବହୁତ ବଡ ପ୍ରଯୋଜକ ସଂସ୍ଥା ସିନେମା ରିଲିଜ କରିବାକୁ ବାଟ ବାଛିଛନ୍ତି । କିନ୍ତ ଏବେ ସୁଟିଂ ପାଇଁ ସରକାରଙ୍କ ଅନୁମତି ପରେ ଓ ତୃତୀୟ ଲହରର ଭୟ ମଧ୍ୟରେ ବଡ ପ୍ରଶ୍ନ ହେଉଛି, ଫିଲ୍ମ ହଲ ଖୋଲିବ କେବେ ଓ ଟ୍ରାକକୁ ଫେରିବ କି ରାଜ୍ୟର ମନୋରଞ୍ଜନ ଶିଳ୍ପ ?