ଉଠା ଦୋକାନ ଖୋଲିବାକୁ ଅନୁମତି । ବିକ୍ରି ହେବ ଚା’, ଖୋଲିବ ସେଲୁନ୍ । ୨୦ଜିଲ୍ଲାରେ ବସ ଚଳାଚଳକୁ ଅନୁମତି, ଖୋଲିବ ଦୈନିକ ଓ ସାପ୍ତାହିକ ହାଟ ।

472

କନକ ବ୍ୟୁରୋ : ଗୋଟିଏ ପଟେ ରୋଗର ଭୟ, ଆଉ ଅନ୍ୟପଟେ ପେଟର ଭୋକ । ରୋଗର ଦୁଃଖ ଓ ଭୋକର ଦୁଃଖ ଦୁଇଟି ଯାକ ଅସହ୍ୟ । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଲକଡାଉନ କଟକଣା ଲାଗୁ ହେବା ପରେ ଏବେ ରୋଗ ଅପେକ୍ଷା ଭୋକକୁ ବେଶୀ ଭୟ କରୁଛି ସାଧାରଣ ମଣିଷ । ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ କେତେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଆଉ କେତେକ କ୍ଷେତ୍ରରେ କଟକଣା ଜାରି ରହିବ ।

ଖୋଲିବ ଚା’ ଦୋକାନ
ରାଜ୍ୟର ହଜାର ହଜାର ଲୋକ ଚା’ ଦୋକାନ ଟିଏ କରି ଘର ଚଳାନ୍ତି । ଦିନ ସାରା ଚା’ ବିକ୍ରି କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ହେଲେ ତାଲାବନ୍ଦ ଯୋଗୁଁ ସେମାନଙ୍କ ଦୋକାନ ବନ୍ଦ ହୋଇଯିବାରୁ ହାତବାନ୍ଧି ବସିଥିଲେ । ପରିସ୍ଥିିତି ବିଗୁଡୁଥିବାରୁ କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।

ଖୋଲିବ ‘ଉଠା ଦୋକାନ’
ଚା’ ଦୋକାନୀଙ୍କ ଭଳି ଗୁପଚୁପ ଦୋକାନୀ, ରାସ୍ତାକଡରେ ଠେଲାରେ ଜଳଖିଆ ବିକୁଥିବା ଛୋଟ ଦୋକାନୀଙ୍କ ରୋଜଗାର ବି ଶୂନ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ହାତକୁ ପୁଣି ଥରେ କେମିତି ଦିପଇସା ଆସିବ, ସେଥିପାଇଁ ସାରା ରାଜ୍ୟରେ କଟକଣା ଭିତରେ ଉଠା ଦୋକାନ ଖୋଲିବାକୁ ଅନୁମତି ଦଆଯାଇଛି ।

ଖୋଲିବ ‘ସେଲୁନ୍’
ଲକଡାଉନ ଆରମ୍ଭ ହେବା ଦିନଠାରୁ ସାରାରାଜ୍ୟରେ ବନ୍ଦ ରହିଛି ସେଲୁନ୍ । କିନ୍ତୁ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ସେଲୁନ୍ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି ।

କଟକଣାରେ ଗଡିବ ବସ୍
କାଟାଗୋରୀ ଏରେ କଟକଣା ଭିତରେ ବସ୍ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି ସରକାର । ଯେଉଁସବୁ ଜିଲ୍ଲା କାଟାଗୋରୀ ଏରେ ରହିଛନ୍ତି ସେହି ଜିଲ୍ଲା ଭିତରେ ବସ୍ ଯାତାୟତ କରିପାରିବ । କିନ୍ତୁ କାଟାଗୋରୀ ବିରେ ଥିବା ଜିଲ୍ଲାରେ ବସ୍ ଚଳାଚଳକୁ ଏବେ ଅନୁମତି ମିଳିନାହିଁ ।

ବନ୍ଦ ରହିବ ସ୍ପା, ପାର୍ଲର, ମଲ୍
ସଂକ୍ରମଣ ଭୟ ଥିବାରୁ ସ୍ପା, ପାର୍ଲର ଓ ମଲକୁ ଏଥର ବି ଖୋଲିବାକୁ ଅନୁମତି ଦେଇ ନାହାନ୍ତି ସରକାର । ଅର୍ଥାତ ଏସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେବଳ ବଡ ବଡ ବ୍ୟବସାୟୀ କ୍ଷତି ସହିବେ ତା ନୁହେଁ, କାମ କରୁଥିବା ହଜାର ହଜାର କର୍ମଚାରୀମାନଙ୍କୁ ମଧ୍ୟ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବାକୁ ପଡିବ ।

ଖୋଲିବ ରେଷ୍ଟୁରାଂଟ, କେବଳ ପାର୍ସଲ
ପୂର୍ବଭଳି କଟକଣା ଭିତରେ ଖୋଲିବ ରେଷ୍ଟୁରାଂଟ ଓ ଢ଼ାବା । କିନ୍ତୁ କେହି ବସି ଖାଇପାରିବେ ନାହିଁ । କେବଳ ଘରକୁ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ଫଳରେ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର ବ୍ୟବସାୟୀ ଓ କର୍ମଚାରୀଙ୍କ ଭାଗ୍ୟ ପୁଣି ଥରେ କରୋନା ଯୋଗୁଁ ପ୍ରଭାବିତ ହେବ ।

ସଂକଟର ସମାଧାନ ପାଇଁ ସରକାର କେତେକ କଟକଣାକୁ କୋହଳ କରିଛନ୍ତି । କିନ୍ତୁ ଯେଉଁଠି କଟକଣା ଲୋକେ ନମାନିବେ ସେଠାରେ ଆଉ ଥରେ କଟକଣା ଲାଗୁ ହେବା ସହ ଜୀବିକା ପ୍ରଭାବିତ ହୋଇପାରେ ।