ମୃତ୍ୟୁ ଆଁରୁ ଫେରିଲା ୧୧ ଜୀବନ । ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲା ଗୋଟିଏ ଫୋନ୍ କଲ୍ । କେମିତି ଥିଲା ‘ଅପରେସନ ପାଟି ସୋନାପୁର’ ପଢନ୍ତୁ …

250

କନକ ବ୍ୟୁରୋ: ଆଖିଆଗରେ ଅକାତ କାତ ପାଣି… ମଝି ସମୁଦ୍ରରେ ମୃତ୍ୟୁର ମହାଧମକ । ବଡ ବଡ ଲହଡି ମାଡରେ ଉବୁଟୁବୁ ଜୀବନ । ଆଖି ଯୁଆଡେ ଯୁଆଡେ ଯାଉଛି ଖାଲି ପାଣି ଆଉ ପାଣି । ଗଭୀର ସମୁଦ୍ରରେ ସଙ୍କଟରେ ପଡିଥିବା ସାଥୀ ମତ୍ସ୍ୟଜୀବୀ ଭାଇଙ୍କ ଛଡା ଆଉ କେହି ସାହା ହେବାକୁ ନାହିଁ । ଭରସା ବୋଲି କିଛି ନାହିଁ । ଅଥଳ ଜଳ, କଳା ହାଣ୍ଡିଆ ଆକାଶ… ହଲିଉଡର ହରର ଫିଲ୍ମର ଦୃଶ୍ୟ ବି ଫିକା ପଡିଯିବ । ୟାରି ଭିତରେ ମୃତ୍ୟୁର ଆଁରୁ ଜୀବନକୁ ମୁକୁଳାଇବାକୁ ସାହା ହୋଇଥିଲା ମୋବାଇଲ । ଗଭୀର ସାଗରରୁ ଗୋଟିଏ ଫୋନ୍ କଲ୍ ପହଞ୍ଚିଥିଲା ଗାଁରେ । ଆମେ ବିପଦରେ ପଡିଛୁ. ଆମେ ଫସିଯାଇଛୁ, ଆମ ଡଙ୍ଗା ବୁଡିଯାଉଛି… ବାସ୍ ଏହି ଅସହାୟତାର ଆର୍ତ୍ତଚିକ୍ରାର ହିଁ ୧୧ ଜୀବନ ବଞ୍ଚାଇବାରେ ସାହା ହୋଇଥିଲା ।

ଦରିଆ ଭିତରୁ ମତ୍ସ୍ୟଜୀବୀଙ୍କ ଫୋନ ସରପଞ୍ଚ ପାଇବା ପରେ ବିଜୁଳି ବେଗରେ ମାଡିଯାଇଥିଲା ଏ ଖବର । ପରେ ବିଡିଓ ତାପରେ ଜିଲ୍ଲା ପ୍ରଶାସନ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ମତ୍ସ୍ୟଜୀବୀ ଫସିବାର ଖବର । ଆଉ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଅପରେସନ ଉଦ୍ଧାର… ଆରମ୍ଭ ହୋଇଥିଲା ହେଲିକପ୍ଟରରେ ଏୟାରଲିଫ୍ଟ ।

ତେବେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ଥିଲା । ମାଛ ଜାଲ କିଣିବାକୁ ସୁଦୂର ଗଞ୍ଜାମରୁ ବିଶାଖାପାଟଣା ଯାଇଥିବା କିଛି ମତ୍ସ୍ୟଜୀବୀ ସମୁଦ୍ରପଥରେ ଫେରୁଥିଲେ । କୂଳରୁ ପ୍ରାୟ ୧ କିଲୋମିଟର ଦୂରରେ ହଠାତ ତାଙ୍କର ବୋଟ ଟି ଖରାପ ହୋଇଯାଇଥିଲା । ଏପଟେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ସୁସୁ ଗର୍ଜନ କରୁଥିଲା, ଅଶାନ୍ତର ଆତଙ୍କ ରଚୁଥିଲା । ବେଶ ଉଚ୍ଚତାକୁ ଉଠୁଥିଲା ସମୁଦ୍ରର ବିଶାଳ ଢେଉ । ଏଭଳି ପରିସ୍ଥିତିରେ ସେମାନେ ଢେଉ କାଟି କୂଳକୁ ଆସିବା ସମ୍ଭବ ହୋଇନଥିଲା । ହାତରେ ଥିଲା ଗୋଟିଏ ମାତ୍ର ଫୋନ । ଆଉ ଏ ଫୋନରୁ କଲ ଯାଇଥିଲା ତାଙ୍କ ସରପଞ୍ଚଙ୍କ ପାଖକୁ । ସରପଞ୍ଚ ଏକଥାକୁ ଆଗକୁ ବଢାଇବା ସହ ରଙ୍ଗେଇଲୁଣ୍ଡା ବିଡିଓଙ୍କ ପାଖରେ ପହଞ୍ଚାଇଥିଲେ । ବିଡିଓ ଏହାପରେ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପାଖକୁ ଏ ଖବର ପହଂଚାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଏସଆରସିଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ । ଏହା ପରେ ଆରମ୍ଭ ହେଲା ‘ଅପରେସନ ପାଟିସୋନାପୁର’ । ଏସଆରସିଙ୍କ କାର୍ଯ୍ୟାଳୟରୁ ଖବର ଯିବା ପରେ ପ୍ରସ୍ତୁତ ହେଲା ତଟରକ୍ଷା ବାହିନୀର ହେଲିକପ୍ଟର ।

ସମୟ ପ୍ରାୟ ୫ଟା ୪୫ ମିନିଟରେ ସମୁଦ୍ର ଭିତରେ ପହଂଚି ଗଲା ଭାରତୀୟ ତଟରକ୍ଷା ବାହିନୀର ହେଲିକପ୍ଟର । ବୋଟକୁ ଠାବ କରିବା ପରେ ହେଲିକପ୍ଟରରୁ ବୋଟକୁ ଦଉଡି ଓହଳାଇ ଦିଆଗଲା । ବୋଟରେ ଥିବା ମତ୍ସ୍ୟଜୀବୀଙ୍କୁ ବଂଚିବାର ଆଶା ଦେଖାଗଲା । ଆକାଶରେ ଦେବଦୂତଙ୍କୁ ଦେଖି ମୃତ୍ୟୁର ପାଟିରୁ ବଞ୍ଚିବାର ସାହସ ଫେରିଲା । ଜଣ ଜଣ କରି ତୁରନ୍ତ ଦଉଡି ଧରି ହେଲିକପ୍ଟରରେ ଚଢିଲେ । ଆଉ ହେଲିକପ୍ଟର ଆଣି ତାଙ୍କୁ କୂଳରେ ଛାଡିଲା । ଇଏ ହେଉଛି ସେହି ସମୟର ଦୃଶ୍ୟ । ବାଲିରେ ହେଲିକପ୍ଟର ଲ୍ୟାଣ୍ଡ ନକରିପାରିବାରୁ ଜଣ ଜଣ କରି ହେଲିକପ୍ଟରରୁ ଡେଇଁଥିଲେ । ମୃତ୍ୟମୂହରୁ ଫେରିବା ପରେ ହେଲିକପ୍ଟରରୁ ଡେଇଁବା ହିଁ ବୟାନ କରୁଛି ସେମାନଙ୍କ ଖୁସି ।

ଜଣ ଜଣ କରି ଶେଷରେ ସମସ୍ତ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । କୂଳରେ ପହଂଚିବାପରେ ବେଶ ଆଶ୍ୱସ୍ତ ଅନୁଭବ କରିଥିଲେ ଦରିଆ ମଝିରେ ଫଶି ଉଦ୍ଧାର ହୋଇଥିବା ଏହି ମତ୍ସ୍ୟଜୀବୀ । କୂଳରେ ପହଂଚିବା ପରେ ଅପରେସନ ପାଟିସୋନାପୁର ଶେଷ ହୋଇଥିଲା । ଆଉ ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀ ସରକାର ଏବଂ ଗଞ୍ଜାମ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ ।