ଆଜିଠୁ କମିବ ଭୀଷଣ ବାତ୍ୟା ‘ଅସାନି’ର ବଳ : ଦିଗ ବଦଳାଇବା ସହ ଆରମ୍ଭ ହେବ ଦୁର୍ବଳ ହେବା ପ୍ରକ୍ରିୟା

ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

412

କନକ ବ୍ୟୁରୋ : ଆଜିଠୁ କମିବ ଭୀଷଣ ବାତ୍ୟା ‘ଅସାନି’ର ବଳ । ଦିଗ ବଦଳାଇବା ସହ ଏହା ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହେବ । ଏବେ ଭୀଷଣ ବାତ୍ୟା ଅସାନି ସମୁଦ୍ରରେ ଦ୍ରୁତ ଗତିରେ ମାଡି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଗତ ୬ ଘଣ୍ଟା ହେବ ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପରେ ଅବପାତରେ ପରିଣତ ହେବ । ବଡ଼ କଥା ହେଉଛି ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହି ରୂପ ଧରି ଅସାନି ପୂରା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି ।

ଏଣୁ ୧୨ ତାରିଖ ଯାଏ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସନ୍ଧ୍ୟା ବେଳକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୯୦ କିମି ଏବଂ ଦକ୍ଷିଣ ଦିଗରେ ଗୋପାଳପୁର ଠାରୁ ୫୧୦ କିଲୋମିଟର ଏବଂ ପୁରୀଠାରୁ ୫୮୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।