ଟେଷ୍ଟ କ୍ରିକେଟକୁ ବଞ୍ଚାଇବା ପାକିସ୍ତାନ ପକ୍ଷେ ସମ୍ଭବ ନୁହେଁ, ଭାରତ ହିଁ କରିପାରିବ । ସୋଏବ କହିଲେ ଏମିତି କଥା ।

181

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱ ଦେଖିବ ମହାମୁକାବିଲା । ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱଦ୍ୱୀ ଭାରତ-ପାକିସ୍ତାନ । ଆଉ ଏହି ମ୍ୟାଚ୍ ଦେଖିବାକୁ ପୂରା ବିଶ୍ୱ ଚାହିଁ ରହିଛି । ତେବେ ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଟେଷ୍ଟ କ୍ରିକେଟକୁ ନେଇ ବଡ ବୟାନ ଦେଇଛନ୍ତି । ଟେଷ୍ଟ କ୍ରିକେଟକୁ କିଭଳି ଆଗକୁ ନିଆଯିବ ସେନେଇ ସୋଏବ କହିଛନ୍ତି, କେବଳ ଭାରତ ହିଁ ଟେଷ୍ଟ କ୍ରିକେଟକୁ ବଞ୍ଚାଇ ପାରିବ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୋଏବ କହିଛନ୍ତି, ଏବେ କ୍ରିକେଟକୁ ବ୍ୟବସାୟକରଣ କରାଗଲାଣି । ତେଣୁ ଲୋକମାନେ ମଧ୍ୟ ସମୟ ଦୃଷ୍ଟିରୁ ଟି-୨୦ ମ୍ୟାଚ୍ ଦେଖିବାକୁ ପସନ୍ଦ କରୁଛନ୍ତି । ନୂଆ ଲିଗ୍ ଆସୁଛି ଓ ଆଇସିସି ପକ୍ଷରୁ ଏହାକୁ ସମର୍ଥନ କରାଯାଉଛି । ଆଇପିଏଲ ଓ ଅନ୍ୟ ଟି-୨୦ ଲିଗକୁ ନେଇ ମୋର କୌଣସି ସମସ୍ୟା ନାହିଁ, କିନ୍ତୁ ଏହା ଭିତରେ ବି ଟେଷ୍ଟ କ୍ରିକେଟକୁ ଅଗ୍ରାଧିକାର ମିଳିବାର ଆବଶ୍ୟକତା ରହିଛି ।

ଏବେ ଅନ୍ୟ କୌଣସି ଦେଶ ନୁହେଁ, ବରଂ ଟେଷ୍ଟ କ୍ରିକେଟକୁ ଭାରତ ହିଁ ବଞ୍ଚାଇ ପାରିବ ଓ ଆଗକୁ ନେଇପାରିବ । ଭାରତକୁ ଟେକିବା ପାଇଁ ମୁଁ ଏଭଳି କହୁନାହିଁ । କିନ୍ତୁ ଟେଷ୍ଟ କ୍ରିକେଟକୁ ବଞ୍ଚାଇବା ଆଇସିସିର ସବୁଠୁ ବଡ ଦାୟିତ୍ୱ ହେଉ । ଆଇସିସି ଟେଷ୍ଟ କ୍ରିକେଟକୁ କାହିଁକି ଗୁରୁତ୍ୱ ଦେଉନାହିଁ । ଟେଷ୍ଟ କ୍ରିକେଟ କିଏ ଖେଳୁଛି, ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । କେବଳ ଏହି ୪ଟି ଟିମ୍ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି । ଅନ୍ୟ ଦେଶ ଗୁଡିକ ଟେଷ୍ଟ ର୍ୟାକିଂରେ ଉପର ତଳ ହୋଇଥାନ୍ତି । ଏପରିକି ଟେଷ୍ଟ କ୍ରିକେଟରେ ପାକିସ୍ତାନ ଏବେ ବହୁତ ପଛରେ ରହିଛି । ପାକିସ୍ତାନ ଏବେ ଟେଷ୍ଟ ରାକିଂର ସପ୍ତମ ସ୍ଥାନରେ ରହିଛି । ତେଣୁ ପାକିସ୍ତାନ ଟେଷ୍ଟ କ୍ରିକେଟ ବଞ୍ଚାଇବ ତାହା ସମ୍ଭବ ନୁହେଁ ।

ସେହିଭଳି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ କହିଛନ୍ତି, ପାକିସ୍ତାନ କ୍ରିକେଟ ଏବେ ବେଶ କଠିନ ସମୟ ଦେଇ ଗତି କରୁଛି । ପାକିସ୍ତାନ କ୍ରିକେଟ ବୋର୍ଡକୁ ପ୍ରଫେସନାଲ ହେବାର ଆବଶ୍ୟକତା ରହିଛି । ଖାସକରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଦିଗରେ ଦଖଲ ଦେବ ଆବଶ୍ୟକ । କାରଣ ସେ ପୂର୍ବରୁ ପାକିସ୍ତାନ ଦଳର ଅଧିନାୟକ ରହି ସାରିଛନ୍ତି । ଏଭଳି ହେଲେ ହୁଏତ ପାକିସ୍ତାନ କ୍ରିକେଟର ଅବସ୍ଥାରେ ସୁଧାର ଆସିପାରେ ।