ମମିତା ମେହେର ହତ୍ୟାକାଣ୍ଡ : ପାପ ପେଡି ଖୋଲିଦେବ ମମିତାଙ୍କ ମୋବାଇଲ !

ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଘରୁ ମିଳିଥିବା ମୋବାଇଲ ଦେଇପାରେ ବଡ ସୂଚନା; ପୂର୍ବରୁ ମମିତାଙ୍କ ମୋବାଇଲ ପୋଡି ପାଉଁଶ ହୋଇଯାଇଥିବା ସୂଚନା ଦେଇଥିଲା ପୋଲିସ

229

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ନୂଆ ମୋଡ ଦେଇପାରେ ମୋବାଇଲ ଫୋନ୍ । ପୂର୍ବରୁ ତାଙ୍କ ମୋବାଇଲ ପୋଡି ପାଉଁଶ ହୋଇଯାଇଥିବା ସୂଚନା ଦେଇଥିଲା ପୋଲିସ । ହେଲେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍ ମିଳିଛି, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍ ଥିବା କୁହାଯାଉଛି । ଯଦି ଏହା ମମିତାଙ୍କ ମୋବାଇଲ୍ ହୋଇଥାଏ, ତେବେ ବହୁ ବଡ଼ ବଡ଼ିଆଙ୍କ ପାପ ପେଡ଼ି ଖୋଲିବାକୁ ସମର୍ଥ ବୋଲି ଚର୍ଚ୍ଚା ହେଉଛି ।

ଗତକାଲି ରାଧେଙ୍କ ପତ୍ନୀ ଘର ଖଟତଳୁ ଏକ ବ୍ୟାଗ୍ ପାଇଥିଲେ । ଯେଉଁଥିରେ ଜିନ୍ସ ପ୍ୟାଂଟ, କଳା ସାର୍ଟ ଓ ଏକ ମୋବାଇଲ୍ ଫୋନ୍ ଥିବା କୁହାଯାଉଛି । ପୂର୍ବରୁ ମମିତାଙ୍କ ପରିବାର ମଧ୍ୟ ସେ ଭିଭୋ ବ୍ରାଣ୍ଡର ଏକ ନୂଆ ମୋବାଇଲ୍ ଫୋନ୍ କିଣିଥିବା କଥା କହିଥିଲେ । ଅନୁମାନ କରାଯାଉଛି, ଯେଉଁ କାରରେ ମମିତାଙ୍କୁ ଅପହରଣ କରାଯାଇଥିଲା, ସେହି କାରରେ ରହିଯାଇଥିଲା ମମିତାଙ୍କ ବ୍ୟାଗ । ଆଉ ଗୋବିନ୍ଦଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଗଟିକୁ କାରରୁ ନେଇ ନିଜ ଘର ଖଟତଳେ ଲୁଚାଇ ଦେଇଥିଲେ ଗୋବିନ୍ଦଙ୍କ ଅତି ଘନିଷ୍ଠ ଡ୍ରାଇଭର ରାଧେ ।

ରାଧେର ସ୍ତ୍ରୀ କହିବାନୁସାରେ, ସେ ଝାଡୁ ମାରିବା ସମୟରେ ରାଧେଙ୍କ ଖଟତଳୁ ବ୍ୟାଗ୍‌ଟି ପାଇଥିଲେ । ବ୍ୟାଗ୍‌ ଭିତର ଦେଖିବାରୁ ସେଥିରେ ଏକ ବଡ଼ ମୋବାଇଲ, ଚାର୍ଜର, ଡ୍ରେସ୍‌ ଓ ଔଷଧ ଥିଲା । ତାକୁ ସେ ଗଣମାଧ୍ୟମକୁ ଦେବାକୁ ନେଇଯାଇଥିଲେ। କାରଣ ଗୋବିନ୍ଦ ତାଙ୍କ ସ୍ୱାମୀକୁ ଫସାଇଛି । ତାର ସବୁ ମୁଖା ଖୋଲିବେ ବୋଲି ସେ ପୁଲିସ ପାଖକୁ ନଯାଇ ମୋବାଇଲ୍‌ ଓ ବ୍ୟାଗ୍‌ର ସବୁ ସାମଗ୍ରୀ ଧରି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ମହାଲିଙ୍ଗଠାରେ ଯାଉଥିଲେ। କିନ୍ତୁ ବାଟରେ କେଗାଁ ପୁଲିସ ତାଙ୍କଠାରୁ ତାହା ଛଡ଼‌ାଇ ନେଇଥିଲା । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପୁଲିସ ବ୍ୟାଗ୍‌ଟି ନେଲା, ତା’ହେଲେ କାହିଁକି ପ୍ରୋଟୋକୋଲ ମାନିଲା ନାହିଁ କାହିଁକି ? ସିଜର୍‌ ଲିଷ୍ଟ କରି ବ୍ୟାଗ୍‌ଟି ନେବା ଦରକାର ଥିଲା । ଏପରିକି ରାଧେର ସ୍ତ୍ରୀ କେଗାଁ ଥାନାକୁ ଯାଇ ସିଜର୍‌ ଲିଷ୍ଟ ଦେବାକୁ ଦାବି କରିଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ତାଙ୍କଠାରୁ କ’ଣ ସବୁ ସାମଗ୍ରୀ ନେଇଛନ୍ତି, ତାହା ଲିଖିତ ଦେବାକୁ କହିଥିଲେ । କିନ୍ତୁ କିଛି କଥା ପୁଲିସ ଶୁଣିନଥିଲା ।

ମିଳିଥିବା ସୂଚନା ଅନୁସାରେ, ମମିତା ଡ୍ରେସ୍‌ କଣ୍ଟାବାଞ୍ଜିର ଏକ ଦୋକାନରୁ କିଣିଥିଲେ । ତାକୁ ସେ ସିନ୍ଧେକେଲାର ତାଙ୍କ ପ୍ରିୟ ଜଣେ ଛାତ୍ରୀଙ୍କୁ ଗିଫ୍ଟ ଦେବାର ଥିଲା । ଯେଉଁ ଛାତ୍ରୀଙ୍କୁ ପୁଲିସ ବାରବାର ଏହି ତଦନ୍ତ ସମୟରେ ପଚରାଉଚୁରା ବି କରିଛି । ଭିଭୋ ଭି ୭୪ ମୋବାଇଲ ମମିତା ଧରୁଥିଲେ ବୋଲି ତାଙ୍କ ନିକଟ ସଂପର୍କୀୟଙ୍କ ସୂତ୍ରରୁ ଜଣାଯାଇଛି । ରାଧେ ସ୍ତ୍ରୀ କହିବାନୁସାରେ ବଡ଼ ମୋବାଇଲ ଥିଲା ଓ ଚାର୍ଜର ବ୍ୟାଗ୍‌ରେ ଥିଲା । ଯେହେତୁ ମମିତା ୯ ତାରିଖ ମିଟିଂ ପାଇଁ ଯାଇଥିଲେ ଏଣୁ ସେ ତାଙ୍କ ବ୍ୟାଗ୍‌ରେ ମୋବାଇଲ ଓ ଚାର୍ଜର ନେଇକି ଯାଇଥିବା ଅନୁମାନ କରାଯାଉଛି । ଏହାସହ ବ୍ୟାଗ୍‌ରୁ ସେ କିଣିଥିବା ଡ୍ରେସ୍‌ ବି ଥିବା ଅନୁମାନ କରାଯାଉଛି ।

ତେବେ ଗୁରୁବାର ଡିଆଇଜିଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ, ମୋବାଇଲ୍‌ ଓ ବ୍ୟାଗ୍‌ ସବୁ ମମିତାଙ୍କ ଗୋବିନ୍ଦ ମିନିଷ୍ଟାଡିୟମରେ ଶବ ଜାଳିବା ସମୟରେ ପୋଡ଼ି ଦେଇଥିଲା । ନିଆଁରେ ତରଳି ଯାଇଥିବା ଅନୁମାନ କରାଯାଉଛି ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କ୍ରାଇମ ରିକ୍ରିଏସନ୍‌ ସମୟରେ ମମିତା ଓ ତାର ମୋବାଇଲ ଅନ୍ୟାନ୍ୟ ସାମଗ୍ରୀ ଜାଳିଦେଇଥିବା ପୁଲିସକୁ ଡେମୋ ଦେଖାଇବା ସମୟରେ କହିଛି । ଯାହାର ଭିଜୁଆଲ ବି ଏବେ ସାମ୍ନାକୁ ଆସିସାରିଛି । ଆଉ ଏହାର କିଛି ସମୟ ପରେ ପରେ ରାଧେଙ୍କ ସ୍ତ୍ରୀ ଧଳା ବ୍ୟାଗ୍‌ ଓ ସେଥିରେ ଥିବା ମୋବାଇଲ, ଡ୍ରେସ୍‌ ଆଦି ସଂପର୍କରେ କହିବା ପରେ ସବୁ ସାମଗ୍ରୀ ମମିତାଙ୍କ ବୋଲି ସନ୍ଦେହ ହୋଇଥିଲା । ଏହାକୁ ନେଇ କିନ୍ତୁ ମୁହଁ ଖୋଲୁନି ବଲାଙ୍ଗୀର ପୁଲିସ ।