ଉଗ୍ର ହେଉଛି ଢେଙ୍କାନାଳ ଗୁଳିକାଣ୍ଡ ଘଟଣା । ମୃତକଙ୍କ ପରିବାର ଲୋକଙ୍କ ପ୍ରତିଆକ୍ରମଣ, ମୁଖ୍ୟ ଅଭିଯୁକ୍ତଙ୍କ ଘରେ ପଶି ପତ୍ନୀ ଓ ୩ ବର୍ଷର ପୁଅକୁ ମାରିଲେ ମାଡ ।

205

କନକ ବ୍ୟୁରୋ :ଉଗ୍ରରୂପ ନେଲା ଢେଙ୍କାନାଳ ଗୁଳିମାଡ଼ ଘଟଣା । ଗୁଳିମାଡ କରିଥିବା ଯୁବକଙ୍କ ପତ୍ନୀ ଓ ପୁଅକୁ ମୃତକଙ୍କ ପରିବାର ଲୋକଙ୍କ ଆକ୍ରମଣ । ଘରେ ପଶି ମୁଖ୍ୟ ଅଭିଯୁକ୍ତ ନୁରୁ ନାୟକଙ୍କ ପତ୍ନୀ ଓ ତିନି ବର୍ଷର ପୁଅକୁ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତି କରାଯାଇଛି । ଆଜି ସକାଳେ ପୋଖରୀ ଖୋଳାକୁ ନେଇ ଗୁଳିମାଡ଼ ହୋଇଥିଲା । ଏଥିରେ ସଦର ଥାନା କନ୍ଧପାଲ ଗାଁର ଦଳେଇ ନାୟକଙ୍କ ମୃ୍ତ୍ୟୁ ହୋଇଥିଲା ।

ନୁରୁ ନାୟକଙ୍କ ପକ୍ଷରୁ ଗାଁରେ ଏକ ପୋଖରୀ ଖେଳାଯାଉଥିଲା । ସେଠାରୁ ନିଯାଉଥିବା ମାଟି ପଡ଼ି ରାସ୍ତା ଖରାପ ହେଉଥିବାରୁ ଅନ୍ୟ ରାସ୍ତାରେ ମାଟି ନେବା ପାଇଁ କହିଥିଲେ ଦଳେଇ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ନୁରୁ ନାୟକ ଦଳେଇଙ୍କ ଉପରକୁ ଗଳିମାଡ଼ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଳେଇ ନାୟକ ହେଉଛନ୍ତି ପୂର୍ବତନ ୱାର୍ଡ ମେମ୍ବର । ତାଙ୍କ ପୁଅ ଏବେ ୱାର୍ଡ ମେମ୍ବର ହୋଇଛନ୍ତି । ଦଳେଇଙ୍କ ପୁଅ ବିପକ୍ଷରେ ନୁରୁ ନାୟକ ୱାର୍ଡ ମେମ୍ବର ପ୍ରାର୍ଥୀ ହୋଇଥିଲେ । ହେଲେ ସେ ପରାଜିତ ହୋଇଥିଲେ । ଏହା ସହ ପୂର୍ବରୁ ମଧ୍ୟ ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଆଉ ଆଜି ସେହି ବିବାଦ ଉଗ୍ର ରୂପ ନେଇଛି । ତେବେ ଏହି ଘଟଣା ପରେ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଉ ଏହି ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ ।