ଚିନ୍ତା ବଢାଇଲାଣି କରୋନା । ଦେଶରେ ଦିନକରେ ୧୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ଦିଲ୍ଲୀରେ ସଂକ୍ରମଣ ହୁ ହୁ ହୋଇ ବଢୁଛି ।

174

କନକ ବ୍ୟୁରୋ : ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ଧରି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୧୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏହା ମଧ୍ୟରୁ କେବଳ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ୪୬୧ ଜଣ ଆକ୍ରାନ୍ତ । ଗତକାଲି ତୁଳନାରେ ୨୬ ପ୍ରତିଶତ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ପଜିଟିଭ ହାର ରହିଛି ୫ ଦଶମିକ ୩୩ ପ୍ରତିଶତ । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲରେ ଚିକତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ବି ଏଥିପାଇଁ ଭୟଭୀତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଭାରତରେ କରୋନା ମୃତ୍ୟୁକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ରିପୋର୍ଟକୁ ଖଣ୍ଡନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ବିଶ୍ୱରେ କୋଭିଡ ମୃତ୍ୟୁକୁ ନେଇ ଡବ୍ଲୁଏଚଓର ରିପୋର୍ଟକୁ ଅଟକାଇ ଦେଇଥିଲା ଭାରତ । ଅର୍ଥାତ ଏହି ରିପୋର୍ଟକୁ ସାର୍ବଜନୀନ ହେବାକୁ ଦେଇନଥିଲେ ଭାରତ ସରକାର । କାରଣ ରିପୋର୍ଟରେ ୨୦୨୧ ସୁଦ୍ଧା କରୋନାରେ ପ୍ରାୟ ଦେଢକୋଟି ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ସେହିପରି ଭାରତରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଦର୍ଶାଯାଇଥିବା ବେଳେ ପ୍ରକୃତରେ ଏହାର ୮ ଗୁଣ ଲୋକଙ୍କ ମୃତ୍ୟୁ ହୋଇଥିବା ଡବ୍ଲୁଏଚଓ ରିପୋର୍ଟରେ କୁହାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ରିପୋର୍ଟକୁ ବିରୋଧ କରିନଥିଲା ଭାରତ । ବରଂ ଯେଉଁ ପଦ୍ଧତିରେ କରୋନା ମୃତ୍ୟୁ ହିସାବ କରାଯାଉଛି, ତାକୁ ନେଇ ଆପତି ଉଠାଇଥିଲା ଭାରତ ।

ସବୁ ଦେଶ ପାଇଁ ସମାନ ଗାଣିତିକ ପଦ୍ଧତି ଠିକ ନୁହେଁ ବୋଲି କହିଥିଲେ ଭାରତ ସରକାର । ଛୋଟ ଦେଶରେ କରୋନା ମୃତ୍ୟୁ ହିସାବ ପାଇଁ ବ୍ୟବହାର ହେଉଥିବା ଗାଣିତିକ ମଡେଲ, ଭାରତ ଭଳି ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଅପେକ୍ଷାକୃତ ବଡ ଦେଶ ପାଇଁ ବ୍ୟବହାର ହୋଇପାରିବ ନାହିଁ ବୋଲି କୁହାଯାଇଥିଲା । ତେଣୁ କରୋନା ମୃତ୍ୟୁକୁ ନେଇ ଡବ୍ଲୁଏଚଓ ରିପୋର୍ଟକୁ କେବଳ ଭାରତ ନୁହେଁ, ଚୀନ, ବାଂଲାଦେଶ, ଇରାନ ଓ ସିରିଆ ମଧ୍ୟ ବିରୋଧ କରିଥିଲେ ।

ଏକ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବା ଉପରେ ଆପତି ଉଠାଇଥିଲେ । ତେଣୁ କରୋନା ମୃତ୍ୟୁକୁ ନେଇ ଡବ୍ଲୁଏଚଓ ରିପୋର୍ଟକୁ ଭାରତ ବିରୋଧ କରିଥିବା ବୋଲି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଠିକନୁହେଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।