କ୍ୟାଚ୍ ବଦଳାଇଲା ମ୍ୟାଚ୍ ଫଳାଫଳ । ଦିଲ୍ଲୀ ହାତରୁ ମ୍ୟାଚ୍ ଛଡାଇନେଲା କୋହଲିଙ୍କ କ୍ୟାଚ୍ ।

302

କନକ ବ୍ୟୁରୋ : ଶନିବାର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬ ରନରେ ମାତ୍ ଦେଇ ନିଜର ୪ର୍ଥ ବିଜୟ ହାସଲ କରିଛି ଆରସିବି । ଦୀନେଶ କାର୍ତ୍ତିକ ଓ ମ୍ୟାକ୍ସୱେଲଙ୍କ ଦମଦାର ବ୍ୟାଟିଂ ବଳରେ ଏହି ବିଜୟ ହାସଲ କରିଛି ବାଙ୍ଗାଲୋର । ତେବେ ମ୍ୟାଚର ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଆରମ୍ଭରୁ ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା ସହଜ ନଥିଲା । କାରଣ ମ୍ୟାଚ୍ ଆରମ୍ଭ ହେବା ସହ କେତେବେଳେ ବାଙ୍ଗାଲୋର ଦିଲ୍ଲୀ ଉପରେ ଭାରି ପଡୁଥିଲା ତ ପୁଣି କେତେବେଳେ ଦିଲ୍ଲୀ ବାଙ୍ଗାଲୋର ଉପରେ ଭାରି ପଡୁଥିଲା । ଆଉ ସବୁଠୁ ବଡ କଥା ହେଲା ଏହି ମ୍ୟାଚର ଫଳାଫଳକୁ ବଦଳାଇଥିଲା କ୍ୟାଚ୍ ।

୧୯୦ ରନର ବିଜୟଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ପ୍ରଥମରୁ ଦମଦାର ଇନିଂସ ଆରମ୍ଭ କରିଥିଲା । କିନ୍ତୁ ପାୱାରପ୍ଲେ ସରିବା ସହ ଦିଲ୍ଲୀ ପାଇଁ ବିପଦ ମାଡି ଆସିଥିଲା । ପାୱାରପ୍ଲେରେ ମାତ୍ର ଗୋଟିଏ ୱିକେଟ ହରାଇଥିବା ଦିଲ୍ଲୀ ମଧ୍ୟକ୍ରମରେ ୱିକେଟ ହରାଇବା ସହ ଦ୍ରୁତ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲା । ଏହାସତ୍ତେ୍ୱ ମଧ୍ୟ ଗୋଟିଏ ପଟେ ଅଧିନାୟକ ରିଷଭ ପନ୍ତ ବାଙ୍ଗାଲୋରର ବିଜୟ ପଥରେ ବାଧକ ସାଜି ଛିଡା ହୋଇଥିଲେ । ୧୭ ବଲରୁ ୩୪ ରନର ବିଧ୍ୱଂସୀ ଇନିଂସ ଖେଳି ଦିଲ୍ଲୀର ବିଜୟ ଆଶାକୁ ଉଜ୍ଜିବୀତ କରିଥିଲେ । କିନ୍ତୁ ୧୭ତମ ଓଭରରେ ମ୍ୟାଚର ମୋଡ ବଦଳିଥିଲା । ସିରାଜଙ୍କ ବଲରେ ବଡ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ ପନ୍ତ । କିନ୍ତୁ କୋହଲୀଙ୍କ ଗୋଟିଏ ହାତରେ ଆକର୍ଷଣୀୟ କ୍ୟାଚ୍ ମ୍ୟାଚର ଫଳାଫଳକୁ ବାଙ୍ଗାଲୋର ସପକ୍ଷକୁ ନେଇ ଯାଇଥିଲା । ଆଉ ଏହି ୱିକେଟ ପତନ ସହ ଦିଲ୍ଲୀର ବିଜୟ ଆଶା ଧୂଳିସାତ ହୋଇଥିଲା ।

ସେହିଭଳି ବାଙ୍ଗାଲୋର ବ୍ୟାଟିଂ ସମୟରେ ମଧ୍ୟ ପନ୍ତ କ୍ୟାଚ୍ ଛାଡିବା ଦିଲ୍ଲୀକୁ ମହଙ୍ଗା ପଡିଥିଲା । କାର୍ତ୍ତିକଙ୍କ ବିଧ୍ୱଂସୀ ୩୪ ବଲରେ ୬୬ ରନର ଇନିଂସ ବଳରେ ବାଙ୍ଗାଲୋର ୧୯୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦିଲ୍ଲୀ ସାମ୍ନାରେ ରଖିଥିଲା । ତେବେ ୬୬ ରନର ଧୂଆଁଧାର ଇନିଂସ ପୂର୍ବରୁ କାର୍ତ୍ତିକଙ୍କୁ ମାତ୍ର ୫ ରନରେ ଜୀବନଦାନ ମିଳିଥିଲା । ଆଉ ଏହି ଜୀବନଦାନ ଦେଇଥିଲେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ । ବାଙ୍ଗାଲୋରଳ ୯୨ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ କ୍ରିଜକୁ ଆସିଥିଲେ କାର୍ତ୍ତିକ । ବେଶ ସର୍ତକତାର ସହ କାର୍ତ୍ତିକ ନିଜର ପାଳି ଆରମ୍ଭ କରିଥିଲେ । ପୂର୍ବ ମ୍ୟାଚ୍ ଗୁଡିକରେ ବିସ୍ଫୋରକ ଇନିଂସ ଖେଳିଥିବା କାର୍ତ୍ତିକ ଦିଲ୍ଲୀ ବିପକ୍ଷରେ ଜଗିରଖି ଖେଳ ଆରମ୍ଭ କରିଥିଲେ । ୧୦ ବଲରେ ୫ ରନ କରିଥିବା ବେଳେ କାର୍ତ୍ତିକଙ୍କୁ କ୍ୟାଚକୁ ହାତଛଡା କରିଥିଲେ ପନ୍ତ । ଆଉ ଏହାପରେ କାର୍ତ୍ତିକଙ୍କ ବ୍ୟାଟ୍ ଗର୍ଜିବା ଆରମ୍ଭ କରିଥିଲା । ବଳକା ୨୪ଟି ବଲରୁ ୬୧ ରନ କରିଥିଲେ କାର୍ତ୍ତିକ । ଯେଉଁ ଇନିଂସରେ ୫ଟି ଚୌକା ଓ ୫ଟି ବିଶାଳ ଛକା ଦେଖିବାକୁ ମିଳିଥିଲା । ଆଉ କାର୍ତ୍ତିକଙ୍କ ଏହି ଇନିଂସ ହିଁ ଦିଲ୍ଲୀ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ।