ଓଡ଼ିଶା ସୀମା ଉପରେ ପଶ୍ଚିମବଙ୍ଗର ଆଖି । ସୀମାନ୍ତ ଅଞ୍ଚଳରେ କରୁଛି ପାଚେରୀ ତିଆରି ।

82

କନକ ବ୍ୟୁରୋ : ଗୋଟିଏ ପଟେ ଆନ୍ଧ୍ର, ଅନ୍ୟ ପଟେ ପଶ୍ଚିମବଙ୍ଗ । ଦୁଇ ପଡୋଶୀ, ସୀମାରେ ଥିବା ଓଡ଼ିଶାର ଅଞ୍ଚଳକୁ ମାଡି ବସିିବାକୁ ଚେଷ୍ଟା ଚଳାଇଛନ୍ତି । କୋରାପୁଟର କୋଟିଆ, ଗଜପତିର ମାଣିକପାଟଣା ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଛି ଆନ୍ଧ୍ର । ଏପଟେ ବାଲେଶ୍ୱର ଉଦୟପୁର ସୀମାରେ ପାଚେରୀ ନିର୍ମାଣ କରୁଛି ପଶ୍ଚିମବଙ୍ଗ । କିନ୍ତୁ ଚୁପ୍ ବସିଛନ୍ତି ଓଡ଼ିଶା ସରକାର ।

ବାଲେଶ୍ୱର ସୀମାନ୍ତ ଉଦୟପୁର-ଦିଘା ବିଚରେ ବେଆଇନ ଭାବେ ଚାଲିଛି ପାଚେରୀ ନିର୍ମାଣ । ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଘା ବିଚରେ ପାଚେରୀ ନିର୍ମାଣ କରାଯାଉଛି । ବଡ ବଡ ଜେସିବି ଲଗାଇ ପାଚେରୀ କାର୍ଯ୍ୟ କରାଯାଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଭୋଗରାଇ ଅତିରିକ୍ତ ତହସିଲଦାର, ଆରଆଇ, ତାଳସାରୀ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି କାର୍ଯ୍ୟ ବନ୍ଦ କରିଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ଏବଂ ପୁଲିସକୁ ମୁତୟନ କରାଯାଇଛି ।

୨୦୧୫ରେ ଉଦୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଥାନା ଏବଂ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ ସରକାର । ସେବେଠୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୨୦୧୮ରେ ପଶ୍ଚିମବଙ୍ଗ ସରକାର ଉଦୟପୁର ରାସ୍ତାରେ ଫଳକ ଲଗାଇବା ପରେ ଓଡ଼ିଶା ପ୍ରଶାସନ ଏହାକୁ ହଟାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୦ରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ନିଜ ଅଧିକାରକୁ ନେବାକୁ ଚେଷ୍ଟା ବିଫଳ ହୋଇଥିଲା ପଶ୍ଚିମବଙ୍ଗ । ଏବେ ଦିଘା ବିଚରେ ବେଆଇନ ଭାବେ ପାଚେରୀ ନିର୍ମାଣ ଚଳାଇଛି ପଶ୍ଚିମବଙ୍ଗ ।

ଓଡ଼ିଶା ମାଟି ଉପରେ ପଡ଼ୋଶୀ ରାଜ୍ୟର ଆଖି । ଗଜିପତିରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା । ଆନ୍ଧ୍ର ସରକାରଙ୍କ ଦାଦାଗିରିରେ ଅତିଷ୍ଠ ହୋଇ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ବଙ୍ଗାବାଡ଼ ଓ କେରାଣ୍ଡି ପଞ୍ଚାୟତର ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଆନ୍ଧ୍ର ପକ୍ଷରୁ ଜନ ପ୍ରତିନିଧିଙ୍କ ଉପରେ ଦାୟର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାମ କରିବାକୁ ଦାବି ହୋଇଛି । ଶତାଧିକ ଆଦିବାସୀ ଏ ନେଇ ଜିଲ୍ଲା ସଦର ମହକୁମାର ବସଷ୍ଟାଣ୍ଡରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସରକାରଙ୍କ ସ୍ଥାଣୁତା ଯୋଗୁଁ ସୀମାନ୍ତରେ ଥିବା ଓଡ଼ିଶା ମାଟିକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରି ଆସୁଛନ୍ତି ପଡ଼ୋଶୀ ।