ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍ । ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଲେ ମୁମ୍ବାଇ କୋର୍ଟ ।

110

କନକ ବ୍ୟୁରୋ: ଅଶ୍ଳୀଳ ସିନେମା ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ୍ । ୫୦ ହଜାର ଟଙ୍କା ମୁଚାଲିକାରେ ମାଜିଷ୍ଟ୍ରେଟ କୋର୍ଟ ରାଜଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗତ ଗୁରୁବାର ମୁମ୍ବାଇ ପୋଲିସ୍ କୁନ୍ଦ୍ରାଙ୍କ ବିରୋଧରେ ୧୪ଶହ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାୟର କରିଥିଲା । ଯାହାକୁ ବିରୋଧ କରି ଶନିବାର ପୁଣିଥରେ ବେଲ୍ ପାଇଁ ଆବେଦନ କରିଥିଲେ ରାଜ କୁନ୍ଦ୍ରା ।

ସେ ପୁଣିଥରେ କୋର୍ଟଙ୍କ ସମ୍ମୁଖରେ କହିଥିଲେ, ତାଙ୍କୁ ଜାଣିଶୁଣି ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି । ସେ ଅଶ୍ଳୀଳ ସିନେମା ପ୍ରସ୍ତୁତ କରୁଥିବାର ପୋଲିସ ପାଖରେ ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ । ଏହାପରେ ସୋମବାର ମୁମ୍ବାଇ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଏବଂ ଆପ୍ ଜରିଆରେ ସେଗୁଡିକ ରିଲିଜ୍ କରିବା ନେଇ ପୋଲିସ୍ ବିଳମ୍ବିତ ରାତିରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ଏହାପରେ ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଜୀବନ ପୂରା ଓଲଟ ପାଲଟ ହୋଇଯାଇଥିଲା । ତଦନ୍ତର ପରିସରକୁ ରାଜ କୁନ୍ଦ୍ରାଙ୍କ ସହ ଟଣାହେଲେ ପତ୍ନୀ ଶିଳ୍ପା ସେଟ୍ଟୀ । ମାତ୍ର ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ପୋଲିସକୁ । ଗଣମାଧ୍ୟମରେ ମଧ୍ୟ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ଦେଖିବାକୁ ମିଳିଲା । ରାଜ ଗିରଫ ହେବା ପରେ ସବୁଠାରୁ ବେଶି ପ୍ରଭାବିତ ହେଲେ ଶିଳ୍ପା । ତାଙ୍କ ହାତରୁ ଅନେକ ବିଜ୍ଞାପନ ଓ ପ୍ରୋଜକ୍ଟ ମଧ୍ୟ ପଳେଇଲା । ଏତେ ସବୁ ସମସ୍ୟା ପରେ ଶେଷରେ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ୍ । ତେବେ ଏହା ପରେ ଶିଳ୍ପା ଓ ରାଜଙ୍କ ବ୍ୟକ୍ତିଗତ ଜୀବନ ଆଗଭଳି ସ୍ୱାଭାବିକ ହେବ କି ନାହିଁ ତାହା ସମୟ କହିବ ।