କନକ ବ୍ୟୁରୋ : କ୍ଷୁଧାମୁକ୍ତ ଓଡ଼ିଶା ଗଠନ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଘୋଷଣା କରିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ ଖାଦ୍ୟ ସୁରକ୍ଷା ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଏହି ଯୋଜନା ଜରିଆରେ ରାଜ୍ୟରେ ୩୪ ଲକ୍ଷ ୪୪ ହଜାର ଗରିବ ଉପକୃତ ହୋଇପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା, ଓଡ଼ିଶାର ପ୍ରତିଟି ଗରିବଙ୍କ ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବାର ଲକ୍ଷ୍ୟକୁ ଆଉ ଗୋଟିଏ ପାଦ ଆଗେଇ ନେଇଛି । ଏହି ଘୋଷଣା ଜରିଆରେ ରାଜ୍ୟ ସରକାର, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାରେ ସଫଳ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷାରୁ ବଂଚିତ ହୋଇଥିବା ୩୪ ଲକ୍ଷ ଗରିବ ନିଜ ହକ୍ ଫେରିବାକୁ ସୁଯୋଗ ସୃଷ୍ଟି କରିଛି ।
କେନ୍ଦ୍ର ସରକାରଙ୍କ ୨୦୧୧ ଜନସଂଖ୍ୟା ଆଧାରରେ ରାସନ ଯୋଗଉଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ଆଉ ରାଜ୍ୟ ସରକାରଙ୍କ ଏହି ନୂଆ ଖାଦ୍ୟ ସୁରକ୍ଷା ଯୋଜନା ସେହି ବଂଚିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ସହାୟକ ହେବ ।ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ।ଯାହାକୁ ସହଜରେ ହଜମ୍ କରି ପାରିନାହିଁ ଭାରତୀୟ ଜନତା ପାର୍ଟି ।
ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି-
-ଓଡ଼ିଶାରେ ଗରିବ ଲୋକଙ୍କ ସଂଖ୍ୟା କମିବା ବଦଳରେ ବଢିଲା କେମିତିି?
-ନିର୍ବାଚନ ଆଗରୁ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ଭୋଟବ୍ୟାଙ୍କ ରାଜନୀତି କି?
ବିରୋଧୀ ଦଳର ଏହି ଆରୋପ ଭିତରେ, ଓଡ଼ିଶାକୁ କ୍ଷୁଧାମୁକ୍ତ କରିବା ପାଇଁ ନୂଆ ଖାଦ୍ୟ ସୁରକ୍ଷା ଯୋଜନାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛି ଶାସକ ବିଜେଡି ।ରାଜନୀତିର ଏହି ଆରୋପ ପ୍ରତ୍ୟୋରୋପ ଭିତରେ କିନ୍ତୁ ଆସନ୍ତା ଗାନ୍ଧୀ ଜୟନ୍ତିରୁ ରାଜ୍ୟର ୩୪ ଲକ୍ଷ ୪୪ ହଜାର ଲୋକ ଏହି ନୂଆ ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି ।