ଓଡିଆ-ସାନ୍ତାଳୀ-ସଂସ୍କୃତରେ ଶପଥ ନେଲେ ଓଡିଆ ସାଂସଦ: ଅଧା ସାଂସଦ ଓଡିଆରେ, ଉଲାକା ନେଲେ ଇଂରାଜୀରେ…

443

କନକ ବ୍ୟୁରୋ : ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମୋଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ସଂସଦୀୟ ସଚିବ ମୋଦିଙ୍କ ନାମ ଘୋଷଣା କରିବା ମାତ୍ରେ ମୋଦି ମୋଦି ନାରାରେ ଉଛୁଳି ପଡିଥିଲା ଲୋକସଭା ଗୃହ ।

ମୋଦିଙ୍କ ପରେ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଦୁଇ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହ ମଧ୍ୟ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଶପଥ ନେବା ବେଳେ ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ସାଜିଥିଲେ ଓଡିଆ ସାଂସଦ । ମୋଦିଙ୍କ ପରେ ଓଡିଶାର ମୋଦି କୁହା ଯାଉଥିବା ପ୍ରତାପଙ୍କ ଶପଥକୁ ସମସ୍ତେ ଶୁଣୁଥିଲେ । କାରଣ ପ୍ରତାପ ଷଡଙ୍ଗୀ ଗୃହରେ ସାଂସଦ ଭାବେ ସଂସ୍କୃତ ଭାଷାରେ ଶପଥ ନେଇଥିଲେ । ସାଧାରଣ ଜୀବନ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଶପଥ ନେଇ ପୁଣି ଥରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଯାହା, କିଛି ଦିନ ତଳେ ଦୂରଦର୍ଶନକୁ ଦେଇଥିବା ସଂସ୍କୃତର ସାକ୍ଷାତକାରକୁ ମନେପକାଇ ଦେଇଥିଲା ।

ତେବେ ଖାଲି ପ୍ରତାପ ନୁହଁନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ସାନ୍ତାଳି ଭାଷାରେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଓଡିଆରେ ଶପଥ ନେଇଛନ୍ତି । କଂଗ୍ରେସର ଏକ ମାତ୍ର ସାଂସଦ ସପ୍ତଗିରି ଉଲାକା ଇଂରାଜୀରେ ଶପଥ ଗ୍ରହଣ କରିିଛନ୍ତି । ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଓଡିଆରେ ଶପଥ ଗ୍ରହଣ କରିବା ସହ ଅନ୍ୟ ଓଡିଆ ସାଂସଦମାନେ ମଧ୍ୟ ଓଡିଆରେ ଶପଥ ଗ୍ରହଣ କରିଛନ୍ତି ।