ବାରିପଦାରେ ମୋଦିଙ୍କ ଖୋର୍ଦ୍ଧା ଷ୍ଟାଇଲ । ନାଁ ନନେଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, ଉଠାଇଲେ ପିପିଲି ପିଡୀତାଙ୍କୁ ନ୍ୟାୟ ନମିଳିବା ପ୍ରସଙ୍ଗ ।
କନକ ବ୍ୟୁରୋ: ବାରିପଦା ସମାବେଶରୁ ରାଜ୍ୟ ସରକାରଙ୍କୁ ମୋଦିଙ୍କ ଟାର୍ଗେଟ । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟ୍ରାକ ରେକର୍ଡ଼ ଖରାପ ଥିବା କହି ପରୋକ୍ଷରେ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନେକ ସମୟରେ ରାଜ୍ୟ ସରକାର ମହିଳାଙ୍କ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବା ପାଇଁ ଦ୍ୱାହି ଦେଉଛନ୍ତି ହେଲେ ଅପରାଧୀଙ୍କୁ କିନ୍ତୁ ଦଣ୍ଡ ଦେଇପାରୁନାହାନ୍ତି । ପରୋକ୍ଷରେ ପିପିଲି ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, ପିଡ଼ିତାକୁ ନ୍ୟାୟ ମିଳିଲା ନାହିଁ ବରଂ ଦୋଷୀ ନିର୍ଦ୍ଦୋଷରେ ଖସିଗଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ପୁରୀରେ ଏସଏଚଜି ମହିଳାଙ୍କୁ ନେଇ ରାଜ୍ୟ ସରକାର ଏକ ବଡ ଧରଣର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ତାକୁ କାଉଁଟର କରିବାକୁ ମୋଦି ବେଶ ଚାଲାକିର ସହିତ ଉଠାଇଛନ୍ତି ପ୍ରସଙ୍ଗ । ଯାହା ଦର୍ଶାଉଛି ୨୦୧୯ ପାଇଁ ରାଜ୍ୟ ରାଜନୀତିରେ ମହିଳା ପ୍ରସଙ୍ଗ ସବୁଠାରୁ ବଡ ମୁଦ୍ଦା ଭାବେ ଉଭା ହେବାକୁ ଯାଉଛି । ଟୀକାକରଣ ଠାରୁ ଆରମ୍ଭ କରି ନାରୀଙ୍କୁ ନ୍ୟାୟ ପର୍ଯ୍ୟନ୍ତ ମୁଦ୍ଦା ଉଠାଇ ମୋଦି ଏହି ସଂକେତ ଦେବାକୁ ପଛାଇ ନାହାନ୍ତି ।
ପୁରୀରେ ନବୀନ ଶକ୍ତି ଦେଖାଇଥିବା ବେଳେ ସେହି ସମାନ ପୁରୀର ଏକ ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାର କିଭଳି ବିଫଳ ହୋଇଛନ୍ତି ସେହି ଦିଗକୁ ସାମ୍ନାକୁ ଆଣିଛନ୍ତି ମୋଦି । ତଦନ୍ତରେ ତ୍ରୁଟି ପାଇଁ ଅପରାଧୀ ଖସିଯିବା ପ୍ରସଙ୍ଗକୁ ସେ ନାପସନ୍ଦ କରିଛନ୍ତି । ଆଗାମୀ ଦିନରେ ତଦନ୍ତକୁ ଅଧିକ କ୍ରିୟାଶୀଳ କରାଇବା ସହ ଅପରାଧୀଙ୍କୁ ଦଣ୍ଡ ଦେବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।
ସେହିଭଳି ପୁରୁଣା ପାଠର ପୁନରାବୃତ୍ତି କଲା ଭଳି ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି କହି ପୁଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ୫ଲକ୍ଷ ଶିଶୁ ଓ ଦେଢ଼ ଲକ୍ଷ ମହିଳାଙ୍କୁ ଟୀକା ଦିଆଯାଉଛି ଏହାର ଫାଇଦା ଆୟୁଷ୍ମାନ ଭାରତ ଯୋଜନାରୁ ନେବାକୁ କହିଛନ୍ତି ମୋଦି । ସେହିଭଳି ଝିଅ ମାନଙ୍କ ସୁରକ୍ଷା କ୍ଷେତ୍ରରେ ପଛରେ ପଡ଼ିଛି ଓଡ଼ିଶା । ଅନ୍ୟପଟେ ନୂଆ ଓଡ଼ିଶା ପାଇଁ ଆମକୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହି ଆହ୍ୱାନ ଦେଇଛନ୍ତି ମୋଦି ।
ଓଡ଼ିଶାରେ ଝିଅମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ପଛରେ ରହିଛି ଓଡ଼ିଶା କହି ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ତେବେ ୧୫ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ୨୦୧୯ ନିର୍ବାଚନ ପୂର୍ବରୁ ଅନେକ ଖୋରାକ ଯୋଗାଇଛି ।