ସିଟ ବେଲ୍ଟ ପିନ୍ଧିନଥିବାରୁ ତଣ୍ଡ ଗଣିଲେ ସ୍କୁଟି ଚାଳକ : ପଢ଼ନ୍ତୁ କ’ଣ ଥିଲା ପୁରା ମାମଲା ?

578

କନକ ବ୍ୟୁରୋ : ସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି । ଦେଶର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଥିଲା । ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।

ସିଟ ବେଲ୍ଟ ପିନ୍ଧିନଥିବାରୁ ତଣ୍ଡ ଗଣିଲେ ସ୍କୁଟି ଚାଳକ । ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡିର କାଗଜପତ୍ର ହଜିଯାଇଥିଲା । କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ପ୍ରବୀଣ ତାଙ୍କର ଚାଲାଣ କଟିଥିବା କଥା ଜାଣିବାକୁ ପାଇଥିଲେ । ଏହାପରେ ସେ ଅଧିକାରୀ ଜଣକୁ ଚାଲାଣ ରସିଦ୍‌ ମାଗିଥିଲେ । ଅଧିକାରୀଙ୍କ ଠାରୁ ଚାଲାଣ ରସିଦ୍‌ ପାଇବା ପରେ ସ୍କୁଟି ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ରସିଦରେ ପ୍ରବୀଣ ସିଟ୍‌ ବେଲ୍‌ଟ ନ ବାନ୍ଧିଥିବାରୁ ତାଙ୍କର ଚାଲାଣ କଟାଯାଇଛି ବୋଲି ଉଲ୍ଲେଖ ଥିଲା । ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । 

 

ଅଭିଯୋଗ ପରେ ଭୁଲ ମାନିବା ପରିବର୍ତ୍ତେ ଚାଲାଣ କାଟିଥିବା ପରିବହନ ଅଧିକାରୀ ଜଣକ ଅଜବ ଯୁକ୍ତି କରିଥିଲେ । ଚାଲାଣର ଧନରାଶି ପଇଠ ନକରିବା ପର୍ଯ୍ୟନ୍ତ କୌଣସି କାଗଜପତ୍ର ଦିଆଯିବ ନାହିଁ ବୋଲି ସିଧା ସିଧା ମନାକରିଥିଲେ । ତେବ ଘଟଣାଟି ପ୍ରଘଟ ହେବାପରେ ସମ୍ପୃକ୍ତ ଅଧିକାରୀ ଜଣକ କ୍ୟାମେରା ସାମ୍ନାକୁ ଆସିବାକୁ ମନା କରିଦେଇଛନ୍ତି ।