ବିହାର ବିଧାନସଭାକୁ ଦୋହଲାଇଲା ମଦମୃତ୍ୟୁ ପ୍ରସଙ୍ଗ । ଗୃହରେ ବିଜେପି ବିଧାୟକଙ୍କୁ ଗାଳିଗୁଳଜ କଲେ ନୀତିଶ କୁମାର

165

କନକ ବ୍ୟୁରୋ : ବିହାର ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟରେ ହୋଇଥିବା ମଦ ମୃତ୍ୟୁକୁ ନେଇ ହୁଲୁସ୍ତୁଲ ହୋଇଥିଲା ପୂରା ବିଧାନସଭା । ବିରୋଧୀ ମଦ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରୁ ଜୋରଦାର ହଟଗୋଳ ଦେଖିବାକୁ ମିଳିଥିଲା । ଏହି ସମୟରେ ସେଠାରେ ନୀତିଶ କୁମାର ନିଜ ରାଗକୁ ନିୟନ୍ତ୍ରଣ କରିପାରିନଥିଲେ ଓ ବିଜେପି ବିଧାୟକଙ୍କ ଉପରେ ଆଙ୍ଗୁଠି ନିର୍ଦ୍ଦେଶ କରି ବର୍ଷିଥିଲେ । ରାଜ୍ୟରେ ହେଉଥିବା ମଦମୃତ୍ୟୁ ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଥିଲେ ନୀତିଶ ।

କେବଳ ସେତିକି ନୁହେଁ ବିଜେପି ବିଧାୟକଙ୍କୁ ଗୃହ ବାହାରକୁ ବାହାର କରିବା ପାଇଁ ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନୀତିଶଙ୍କ ଏହି ଆଚରଣକୁ ସହଜରେ ଗ୍ରହଣ କରିପାରିନି ବିଜେପି । ନୀତୀଶଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି । ଏଥିସହ ଯେଉଁ ପର୍ଯ୍ୟନ୍ତ ନୀତୀଶ କ୍ଷମା ମାଗିବେନି ସେପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବନି ବୋଲି ବିରୋଧୀ କହିଛନ୍ତି । ଏବେ ସୁଦ୍ଧା ବିଷାକ୍ତ ମଦ ପିଥ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହି ମୃତ୍ୟୁ ପ୍ରସଙ୍ଗକୁ ନେଇ ବିହାର ବିଧାନସଭା ଶୀତକାଳୀନ ଅଧିବେଶନରେ ଜୋରଦାର ହଙ୍ଗାମା ହୋଇଛି ।