ନାହିଁ ନାହିଁରେ ଚାଲିଛି ସରକାରଙ୍କ ନିରାମୟ ଯୋଜନା : ରୋଗୀଙ୍କ ପାଇଁ ଔଷଧ ନାହିଁ, ଡାକ୍ତର କହୁଛନ୍ତି ବାହାରୁ ଆଣ

27

କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ । ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଲମ୍ବା ଲାଇନ୍ । ମେଡିସିନ୍ ନେବାକୁ ଜମିଛି ରୋଗୀ ସମ୍ପର୍କୀୟଙ୍କ ଭିଡ । ହାତରେ ଡାକ୍ତରଙ୍କ ଲେଖା ପ୍ରେସକ୍ରିପସନ୍ । ହେଲେ ଔଷଧ ମାଗିବା ବେଳକୁ ଭିତରୁ ଉତର ମିଳୁଛି ନାହିଁ । କାହାକୁ ଗୋଟେ ଦି’ଟା ମିଳୁଛି ତ ଆଉ କାହାକୁ କିଛି ନାହିଁ । ନାହିଁ ନାହିଁରେ ଚାଲିଛି ନିରାମୟ ସେବା । ଯନ୍ତ୍ରଣାରେ ଛଟପଟ ରୋଗୀ ବାଧ୍ୟ ହୋଇ ବାହାରୁ କିଣୁଛନ୍ତି ଦାମୀ ମେଡିସିନ୍ ।

ଏହାରି ଭିତରେ ଡାକ୍ତରଙ୍କ ଔଷଧ ଲେଖାକୁ ନେଇ ଉଠିଛି ପ୍ରଶ୍ନ । ଡାକ୍ତର ଜାଣିଶୁଣି ବାହାରେ ମିଳୁଥିବା ଦାମୀ ଔଷଧ ଲେଖୁଥିବା ଅଭିଯୋଗ ହୋଇଛି । ଏପରିକି ରୋଗୀଙ୍କୁ ସିଧାସଳଖ ବାହାର ଦୋକାନରୁ ମେଡିସିନ୍ କିଣିବାକୁ ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ଫାର୍ମାସିଷ୍ଟ ବି କହୁଛନ୍ତି, ନିରାମୟ ତାଲିକା ବାହାର ମେଡିସିନ୍ ଲେଖୁଛନ୍ତି ଡାକ୍ତର । ଯାହାକୁ ଖଣ୍ଡନ କରିଛନ୍ତି ସିନିୟର ମେଡିକାଲ୍ ଅଫିସର । ଡାକ୍ତର ଓ ପ୍ରାଇଭେଟ୍ ମେଡିକାଲ୍ ଷ୍ଟୋର ମଧ୍ୟରେ ମଧୁଚନ୍ଦ୍ରିକା । ଖୁଲମଖୁଲା ବେଧଡକ ଚାଲିଛି ବେପାର । ଯାହା ଦେଖିଲେ ରାଜ୍ୟର ଅନ୍ୟ ଜିଲ୍ଲାରେ କେମିତି କାମ କରୁଥିବ ସରକାରଙ୍କ ନିରାମୟ ଯୋଜନା ସେନେଇ ପ୍ରଶ୍ନ ଉଠୁଛି ।