ନିର୍ବାଚିତ ସରକାରକୁ କାମ କରିବାକୁ ଦିଅ : ନୀତି ଆୟୋଗ ବୈଠକରେ ନବୀନଙ୍କ କଡା ବାର୍ତ୍ତା

267

କନକ ବ୍ୟୁରୋ : ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି । ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ଯାହା ଦେଶର ଶାନ୍ତି ପାଇଁ ବଡ ବିପଦ ।

ବୈଠକରେ ଜାତୀୟ ଦଳଗୁଡିକୁ ଟାର୍ଗେଟ କରିଛନ୍ତି ନବୀନ । ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ଜାତୀୟ ଦଳଗୁଡିକ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅବହେଳା କଲେ ଇତିହାସ କ୍ଷମା କରିବ ନାହିଁ ବୋଲି ଅତି କଡା ଶବ୍ଦରେ କହିଛନ୍ତି ନବୀନ । ଅବହେଳିତ କ୍ଷେତ୍ର ଏବଂ ସମ୍ବେଦନଶୀଳ ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସର୍ବଭାରତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ବିଶ୍ୱ ମହାମାରୀ କରୋନା ଯେଉଁ ଆହ୍ୱାନ ସୃଷ୍ଟି କରିଛି ତାର ମିଳିତ ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ଏହାର ଅଭାବ ଦେଖା ଦେଇଥିଲା । ଆମ ଦେଶରେ ଏହିଭଳି ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ସଂଘୀୟ ବ୍ୟବସ୍ଥାରେ ଏହା ଜରୁରୀ ମଧ୍ୟ । ସଂକୀର୍ଣ୍ଣ ରାଜନୀତିରୁ ଉପରକୁ ଉଠି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ଜଟିଳ ପ୍ରସଙ୍ଗରେ ମିଳିତ ପ୍ରୟାସକୁ ହିଁ ଇତିହାସ ମନେ ରଖିବ ବୋଲି ଚେତାଇ ଦେଇଛନ୍ତି ନବୀନ ।