କୋଲକତା ବିଜେପି ନେତ୍ରୀଙ୍କ ଗାଡିରୁ ଜବତ୍ ହେଲା କୋକିନ୍ । ଦୁଇ ବନ୍ଧୁଙ୍କ ସହ ଗିରଫ୍ କଲା ପୋଲିସ

544

କନକ ବ୍ୟୁରୋ : ବିଜେପିର ଯୁବ ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଶୁକ୍ରବାର ପୋଲିସ ଗିରଫ୍ କରିଛି । ସେ ତାଙ୍କ କାରରେ କୋକିନ ନେଇ ଯାଉଥିବା ବେଳେ ପାମେଲାଙ୍କ ସମେତ ୨ ଜଣ ସହଯୋଗୀ ଙ୍କୁ କୋଲକତାର ଅଲ୍ଲୀପୁର ଅଞ୍ଚଳରୁ ଗିରଫ୍ କରାଯାଇଛି । ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚାର ପର୍ଯ୍ୟବେକ୍ଷକ ତଥା ହୁଗୁଳି ଜିଲ୍ଲାର ମହାସଚିବ ପାମେଲା ଗୋସ୍ୱାମୀଙ୍କ ଗାଡିରୁ ବିପୁଳ ପରିମାଣର କୋକିନ ମିଳିଥିଲା । ଅଲ୍ଲୀପୁର ଅଞ୍ଚଳ ଦେଇ ପାମେଲା ଓ ତାଙ୍କର ଦୁଇଜଣ ସହଯୋଗୀ ଏହି କୋକିନ୍ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ୍ କରିଛି । ପୂର୍ବରୁ ପାମେଲା ଡ୍ରଗ୍ସ କାରବାର କରୁଥିବା ନେଇ ପୋଲିସ ପାଖରେ ଖବର ଥିଲା । ଏନେଇ ପୋଲିସ ପାମେଲାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ଦିନ ପାମେଲା ଓ ତାଙ୍କ ସହଯୋଗୀ ପ୍ରବୀର ଦେଙ୍କ ସହ ଏକ ଗାଡିରେ କୋକିନ ନେଇ ଯାଉଥିବାର ଖବର ପୋଲିସ ପାଖରେ ପହଂଚିଥିଲା । ଏହାପରେ ପୋଲିସ ପାମେଲାଙ୍କ ଗାଡିକୁ ଅନୁଧ୍ୟାନ କରି ତାଙ୍କୁ ନ୍ୟୁ ଅଲ୍ଲୀପୁର ଅଞ୍ଚଳରୁ ଧରିଥିଲେ । ପାମେଲାଙ୍କ ଗାଡିରୁ ଲକ୍ଷ ଲକ୍ଷ ଟଙ୍କାର ଅବୈଦ୍ଧ କୋକିନ୍ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

ସବୁଠାରୁ ବଡ କଥା ହେଉଛି ବିଜେପି ନେତ୍ରୀ ପାମେଲାଙ୍କ ଏହି କୋକିନ୍ କାରବାରରେ ଜଣେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ସାମିଲ ଥିଲେ   । ଯେ କି ପାମେଲାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ପୋଲିସର ସୂଚନା ମୁତାବକ ପାମେଲାଙ୍କ ଗାଡିରୁ ପାଖା ପାଖି ୯୦ ଲକ୍ଷ ଟଙ୍କାର ଡ୍ରଗ୍ସ ମିଳିଛି । ପୋଲିସ ନାର୍କୋଟିକ୍ସ ଡ୍ରଗ୍ସ ଅଧିନିୟମ ୧୯୮୫ (ଏନଡିପିଏସ୍) ଧାରା ୨୧ (ବି)/୨୯ ମୁତାବକ ମାମଲା ରୁଜୁ କରିଛି । ଏହି ମାମଲାରେ ମୋଟ ୩ ଜଣଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ବ୍ୟକ୍ତି ମାନେ ହେଲେ ପାମେଲା ଗୋସ୍ୱାମୀ, ପ୍ରବୀର ଦେ, ସୋମନାଥ ଚାଟାର୍ଜୀ    ।
ପାମେଲାଙ୍କ ଗିରଫ୍ ପରେ କୋଲକତାର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଟିଏମସି ନେତାଙ୍କ ନିର୍ଦ୍ଦେଶରେ ପାମେଲାଙ୍କୁ ପୋଲିସ ଗିରଫ୍ କରିଛି । ଏହି ମାମଲାକୁ ବିଜେପି ଗମ୍ଭୀରତାର ସହ ଅନୁଧ୍ୟାନ କରୁଥିବା ଲକେଟ୍ କହିଛନ୍ତି ।