ସରଗରମ ହେଉଛି ରାଜ୍ୟ ରାଜନୀତି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବ ବିଜେଡି । ସେପଟେ ସେପ୍ଟେମ୍ବରରେ ଆସୁଛନ୍ତି ଜେପି ନଡ୍ଡା ।

କ୍ୟାପିଟାଲ୍ ଫାଉଣ୍ଡେସନ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପାଇବେ ନବୀନ

176

କନକ ବ୍ୟୁରୋ: ୨୦୨୪ ପାଇଁ ରାଜ୍ୟରେ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ଦଳ । ଗୋଟିଏ ପଟେ ନବୀନଙ୍କ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡର ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅନ୍ୟପଟେ ରାଜ୍ୟରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ପହଞ୍ଚୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଏହାରି ଭିତରେ କଂଗ୍ରେସ କହିଛି ଏନସିଆରବି ରିପୋର୍ଟ, ରାଜ୍ୟ ଓ କେନ୍ଦ୍ରର ଅସଫଳତାକୁ ପଦାରେ ପକାଇଛି ।

  • ସେପ୍ଟେମ୍ବର ୬ରେ ନବୀନଙ୍କୁ ଦିଆଯିବ ବିପୁଳ ସମ୍ବର୍ଦ୍ଧନା
  • ବିଜେଡି ପକ୍ଷରୁ ଆରମ୍ଭ ହେଲା ଜୋରଦାର ପ୍ରସ୍ତୁତି

ଆସନ୍ତା ୪ ତାରିଖରେ ଦିଲ୍ଲୀରେ ଜୀବନବ୍ୟାପୀ ସଫଳତା ପାଇଁ ପୁରସ୍କୃତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ୍ ଫାଉଣ୍ଡେସନ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ ନବୀନ । ଏହାପରେ ଭୁବନେଶ୍ୱରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବ ବିଜେଡି । ଏଥିପାଇଁ ଦଳ ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି । ସାମାଜିକ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରଚାର, ପ୍ରସାର କରାଯାଉଛି । ତେବେ ପୁରସ୍କାର ସମାରୋହ ଉତ୍ସବରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ ଦିଲ୍ଲୀ ଯିବେ । ୬ ତାରିଖରେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେବେ ବିଜେଡିର ସମସ୍ତ ଛାମୁଆ ସଂଗଠନର ହଜାର ହଜାର କର୍ମୀ । ୨୦୧୮ରେ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବା ପରେ ଯେପରି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ସେହିଭଳି ପ୍ରସ୍ତୁତି କରୁଛି ବିଜେଡି ।

୨୦୨୪ ପାଇଁ ଏବେ ଠାରୁ ରାଜନୈତିକ ବାତାବରଣକୁ ସରଗରମ ରଖିବା ପାଇଁ ଆରମ୍ଭ ହୋଇଯାଇଛି ରାଜନୈତିକ ପ୍ରତିଯୋଗିତା । ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ଫେରିବା ପରେ ସମ୍ବର୍ଦ୍ଧନା ଦେବାକୁ ବିଜେଡି ଜୋରଦାର ପ୍ରସ୍ତୁତି କରୁଛି । ସେପଟେ ଏହି ମାସରେ ବିଜେଡିକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ଗୋଟିଏ ପଟେ ବିଜେଡି ପ୍ରସ୍ତୁତ ହେଉଥିବାବେଳେ ଏପଟେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି ବିରୋଧୀ । ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସେହିପରି ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେପ୍ଟେମ୍ବର ୫ରେ ଓଡ଼ିଶା ଆସୁଛନ୍ତି ସୁନିଲ୍ ବଂଶଲ । ଦୁଇ ଦିନ ଧରି ଦଳର ତୃଣମୂଳ ସ୍ତରୀୟ ସାଙ୍ଗଠନିକ ସମୀକ୍ଷା କରି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

ଗୋଟିଏ ପଟେ ନବୀନଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଁଚାଇବା ପାଇଁ ବିଜେଡି କୌଣସି ସୁଯୋଗ ହାତଛଡ଼ା କରୁନାହିଁ । ଅନ୍ୟପଟେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ଚଳଚଞ୍ଚଳ ହୋଇଛି ରାଜ୍ୟ ବିଜେପି । ଅଳ୍ପ ଦିନ ବ୍ୟବଧାନରେ ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ବିଜେଡି ବିରୋଧରେ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ବିଜେପି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।