ଚିକିତ୍ସା ବିଜ୍ଞାନରେ ଭାରତକୁ ବଡ ସଫଳତା । ସର୍ଭିକାଲ କ୍ୟାନସର ପାଇଁ ଦେଶୀ ଟିକାର ଶୁଭାରମ୍ଭ । ଜାଣନ୍ତୁ, କେତେ ରହିବ ଦାମ?

195

କନକ ବ୍ୟୁରୋ: ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟ ବିରୋଧୀ ଲଢ଼େଇ ପାଇଁ ମିଳିଯାଇଛି ଦେଶୀ ଟିକା । ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପକ୍ଷରୁ ଏହି ଟିକାର ଶୁଭାରମ୍ଭ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍ ଓ ବାୟୋଟେକ୍ନୋଲୋଜିି ମିଳିତ ଭାବେ ଏହି ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି । ତେବେ ଦେଶୀ ଟିକାର ନାଁ ରଖାଯାଇଛି ସର୍ଭାଭାକ୍ । ତେବେ ଟିକାର ଶୁଭାରମ୍ଭ କରିବା ସହ ଏହାର ସମସ୍ତ ବୈଜ୍ଞାନିକ ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଜିତେନ୍ଦ୍ର ସିଂ ।

ଟିକା ନିର୍ମାତା ଆଦାର ପୁନାୱାଲା ଏହି ଅବସରରେ କହିଛନ୍ତି, ଟିକାର ମୂଲ୍ୟ ସମସ୍ତଙ୍କୁ ସୁହାଇବା ଭଳି ହେବ । ଟିକାର ମୂଲ୍ୟ ୨ ଶହରୁ ୪ଶହ ଟଙ୍କା ମଧ୍ୟରେ ରହିପାରେ । ହେଲେ, ଟିକାର ମୂଲ୍ୟ ନିର୍ଦ୍ଦିଷ୍ଟ ଭାବେ କେତେ ରହିବ ତାହା ଚୂଡାନ୍ତ ହୋଇନାହିଁ । ୨ ବର୍ଷରେ ୨୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ସେରମ ଇନଷ୍ଟିଚ୍ୟୁଟ୍ । ତେବେ ପ୍ରଥମ ପର୍ଯ୍ୟାୟରେ ୧୦ ରୁ ୧୪ ବର୍ଷର ଝିଅଙ୍କୁ ଦିଆଯିବ ଏହି ଟିକା ।

ଟିକା ନିର୍ମାତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ହଜାର ସ୍ୱେଛାସେବୀଙ୍କ ଦେହରେ ସର୍ଭାଭାକର ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଇଛି । ଆଉ ପରୀକ୍ଷଣରୁ ଜଣାପଡିଛି, ସର୍ଭାଭାକ୍ ଜଣଙ୍କ ଶରୀରରେ ଦ୍ରୁତ ଗତିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହା ହ୍ୟୁମାନ ପାପିଲୋମା ଭାଇରସ୍ ବିରୋଧରେ ମହିଳାଙ୍କୁ ସୁରକ୍ଷା ଯୋଗାଇବ ।

ସୂଚନାଯୋଗ୍ୟ ଯେ, ସାରାଦେଶରେ ପ୍ରତିବର୍ଷ ଯେତିକି ମହିଳା କର୍କଟ ବା କ୍ୟାନସର ରୋଗର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଲକ୍ଷେ ଜଣ ଜରାୟୁ କର୍କଟର ଆକ୍ରାନ୍ତ ହେଉଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୦ ହଜାର ମହିଳା ମୃତ୍ୟୁ ମୁଖରେ ପଡୁଛନ୍ତି । ୧୫ ରୁ ୪୪ବର୍ଷ ବୟସର ମହିଳାମାନେ ଏହି ରୋଗରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଦେଶରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରେ ଏହା ସବୁଠୁ ଦ୍ୱିତୀୟ ଘାତକ । ଯାହାର ମୁକାବିଲା ପାଇଁ ଏହି ଟିକା ସଞ୍ଜିବନୀ ହେବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ।