ଘର ଛାଡିବାର ପ୍ରତିଶ୍ରୁତି ଦେଇ କୋର୍ଟଙ୍କୁ ମେମୋ ଲେଖିଲେ ବର୍ଷା ପ୍ରିୟଦର୍ଶିନୀ । କହିଲେ, ମୋ ଜୀବନ ପଛେ ନର୍କେ ପଡିଥାଉ, ଶାଶୁ-ଶଶୁରଙ୍କର ଉଦ୍ଧାର ହେଉ ।

792

କନକ ବ୍ୟୁରୋ: ଶାଶୁଘର ଛାଡିବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ, ସାମନାକୁ ଆସିଛି କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଦାଖଲ କରିଥିବା ମେମୋ । ଯେଉଁ ମେମୋରେ ବର୍ଷା ଶାଶୁ ଶ୍ୱଶୁରଙ୍କ ପାଇଁ ଘର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ତେବେ ସେ ଚକ୍ରାନ୍ତର ଶିକାର ହୋଇଥିବା ପୁଣିଥରେ କୋର୍ଟଙ୍କୁ ଜଣାଇଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି ।

‘ମୋ ଜୀବନ ପଛେ ନର୍କେ ପଡିଥାଉ ଶାଶୁ ଶ୍ୱଶୁର ଉଦ୍ଧାର ହୁଅନ୍ତୁ’ । ଶାଶୁ ଘର ଛାଡିବାକୁ ତଳ କୋର୍ଟର ନିର୍ଦ୍ଦେଶକୁ ଜିଲ୍ଲା ଜଜକୋର୍ଟ କାଏମ ରଖିବା ପରେ ଏମିତି ଲେଖି କୋର୍ଟରେ ମେମୋ ଦାଖଲ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥିସହ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଚାରିଆଡୁ ଶୁଣିବାକୁ ମିଳୁଥିବାରୁ ବର୍ଷା ତାହାକୁ ସତ ଭାବି ତାଙ୍କ ତରଫରୁ ଏକାକି ଶାଶୁ ଘର ଛାଡି ଚାଲିଯିବାକୁ ନିଷ୍ପତି ନେଇଥିବା ଅଦାଲତଙ୍କୁ ଜଣାଇଥିଲେ ।

ଶାଶୁଘର ଛାଡିବାକୁ ତଳକୋର୍ଟ ଦେଇଥିବା ରାୟକୁ ମଙ୍ଗଳବାର କାଏମ ରଖିଥିଲେ ଜିଲ୍ଲା ଜଜକୋର୍ଟ । ଶାଶୁଘର ଅନୁଭବଙ୍କ ପୈତୃକ ଘର ହୋଇଥିବାରୁ ଛାଡିବା ପାଇଁ କହିଥିଲେ କୋର୍ଟ । ଆଉ ବର୍ଷାଙ୍କୁ ଅନ୍ୟତ୍ର ଭଡା ଘରେ ରଖିବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚାଲେଞ୍ଜ କରିଥିଲେ ବର୍ଷା ।

ଶାଶୁ ଶ୍ୱଶୁରଙ୍କ ପାଇଁ ଘର ଛାଡି ଚାଲିଯିବାକୁ ରାଜି ଥିଲେ ବି ସେ କେମିତି ଚକ୍ରାନ୍ତର ଶିକାର ହୋଇଛନ୍ତି ସେକଥା କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି । ଦାଖଲ କରିଥିବା ମେମୋରେ ଲେଖିଛନ୍ତି, ଆଶାବାନ୍ଧି ବସିଥିଲି କେତେବେଳେ ପୁଣି ଥରେ ପରିବାରର ସମସ୍ତଙ୍କ ସହ ମିଳିମିଶି ରହିବି । କିନ୍ତୁ ଚକ୍ରାନ୍ତର ଶିକାର ହୋଇ ସବୁ ଆଶା ଧୂଳିସାତ୍ ହୋଇଗଲା । ପରିବାର କଥାକୁ ଚିନ୍ତା କରି ତ୍ୟାଗକୁ ବରଣ କରୁଛି ।

ସ୍ୱାମୀ ଅନୁଭବଙ୍କ ସହ ବିବାଦ ପରେ ବର୍ଷା ଶାଶୁ ଘରେ ରହୁଥିବାବେଳେ ଘର ଛାଡି ବାହାରେ ରହୁଥିଲେ ଅନୁଭବଙ୍କ ବାପା ମା ଓ ପରିବାରର ଅନ୍ୟ ସଦସ୍ୟ । କିନ୍ତୁ ଏହା ପୈତୃକ ଘର ହୋଇଥିବାରୁ ତାଙ୍କ ବାପା-ମାଆଙ୍କୁ ରହିବାକୁ ସୁଯୋଗ ଦେବାକୁ କୋର୍ଟରେ ଅପିଲ କରିଥିଲେ ଅନୁଭବ । ତେବେ ଶୁଣାଣି ସମୟରେ ବର୍ଷା ଦାଖଲ କରିଥିବା ମେମୋରେ ଲେଖିଥିଲେ, ପିଡବ୍ଲ୍ୟୁଡିଭି-ଆକ୍ଟର ଧାରା ୧୭, ୧୮,୧୯ ଅନୁସାରେ ବୋହୁ ସେୟାର ହାଉସ ହୋଲ୍ଡରେ ରହିବାର ପ୍ରାବଧାନ ରହିଛି । ଏଥିସହ ଶାଶୂ-ଶ୍ୱଶୁର ନିଜ ଇଛାରେ ଘରୁ ବାହାରକୁ ଯାଇ ପୁନର୍ବାର ସେହି ଘରକୁ ପ୍ରବେଶ କରିବା ସମୟରେ ଅଦାଲତ ନିର୍ଦ୍ଦେଶର ଆବଶ୍ୟକତା ଏବଂ ବୋହୁକୁ ଘରୁ ବାହାରକୁ ଯିବା ପାଇଁ କହିବା କେତେ ଆଇନ ସମ୍ମତ ।