ନ୍ୟାସନାଲ ହେରାଲ୍ଡ ମାମଲା: ଇଡି ହାତରେ ବଡ ପ୍ରମାଣ; ତୃତୀୟ ପକ୍ଷ କମ୍ପାନୀ ସହ ହାୱାଲା ଟ୍ରାଞ୍ଜାକସନର ପ୍ରମାଣ ଲାଗିଥିବା ସୂଚନା

ପୁଣିଥରେ ସୋନିଆ ଏବଂ ରାହୁଲଙ୍କ ବୟାନ ରେକର୍ଡ ସମ୍ଭାବନା ; ଗୁରୁବାର ମଲ୍ଲିକାର୍ଜୁନ ଖଡଗେଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

157

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ହାୱାଲା ଟ୍ରାଞ୍ଜାକସନର ପ୍ରମାଣ ମିଳିଛି । ନ୍ୟାସନାଲ ହେରାଲ୍ଡ ଅଫିସ ଏଂ ବିଭିନ୍ନ ସ୍ଥାନରେ ଚଢାଉ ବେଳେ ଏପରି କିଛି ପ୍ରମାଣ ଇଡି ହାତରେ ଲାଗିଥିବା ସୂଚନା ରହିଛି । ଗତକାଲି ଏହି ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ମଧ୍ୟ ଇଡି ୬ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା । ତେଣୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ବୟାନ ପୁଣିଥରେ ରେକର୍ଡ ହେବ ବୋଲି ଜଣାପଡିଛି । ନ୍ୟାସନାଲ ହେରାଲ୍ଡ ତୃତୀୟ ପକ୍ଷ କମ୍ପାନୀ ସହିତ ହାୱାଲା ଜରିଆରେ ନେଣଦେଣ କରିଛି ।

ଦିଲ୍ଲୀର ହେରାଲ୍ଡ ବିଲ୍ଡିଂ ଛାନଭିନ ବେଳେ ଏହି ସବୁ ପ୍ରମାଣ ମିଳିଛି । ଇଡି ଜବତ କରିଥିବା ବିଭିନ୍ନ ଦସ୍ତାବିଜକୁ ଅନୁଧ୍ୟାନ କରୁଛି । ଏହି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ନ୍ୟାସନାଲ ହେରାଲ୍ଡକୁ ପରିଚାଳନା କରୁଥିବା ୟଙ୍ଗ ଇଣ୍ଡିଆନ କମ୍ପାନୀରୁ କୌଣସି ଆର୍ଥିକ ଲାଭ ଉଠାଇ ନାହାନ୍ତି ବୋଲି ଜେରା ବେଳେ ସୋନିଆ ଏବଂ ରାହୁଲ କହିଥିବା ସୂଚନା ରହିିଛି । ତେବେ ଆର୍ଥିକ ଅନିୟମିତତା ପାଇଁ ଦିଲ୍ଲୀରେ ଥିବା ନ୍ୟାସନାଲ ହେରାଲ୍ଡ ଅଫିସକୁ ଏବେ ସିଲ୍ କରି ଦେଇଛି ଇଡି ।