ଆସୁଛି ଦୁଇଟି ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

1,937

କନକ ବ୍ୟୁରୋ : ରାଜ୍ୟରେ ବଢିବ ବର୍ଷା । ଏହାରି ଭିତରେ ଦୁଇଟି ଲଘୁଚାପ ସକ୍ରିୟ ହେବ ବୋଲି ଜଣାପଡିଛି । ପ୍ରଥମ ଲଘୁଚାପ । ୭ ତାରିଖରେ ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିବା ବେଳେ ଦ୍ୱିତୀୟଟି ୧୩ କିମ୍ବା ୧୪ ତାରିଖ ବେଳକୁ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର ପଶ୍ଚିମ ଓ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏବେ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । କିନ୍ତୁ ରବିବାରଠୁ ବର୍ଷାର ମାତ୍ରା ବଢିବ ବୋଲି ଜଣାପଡିଛି । ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ବର୍ଷାର ପରିଣାମ କମ୍ ରହିଛି । ତେଣୁ ଅନେକ ସ୍ଥାନରେ ଚାଷ କାମ ପ୍ରଭାବିତ ହୋଇଛି । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଆ‌ଦି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ସେହିଭଳି ୬ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ର‌ାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ସେ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷିବ । ଏଣୁ ଏହି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ବରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।