ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟି : ଆଜି ସାରା ଦେଶରେ କଂଗ୍ରେସ କରିବ ବିକ୍ଷୋଭ

148

କନକ ବ୍ୟୁରୋ : ଆଜି ସାରା ଦେଶରେ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟିକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ । ବିଭିନ୍ନ ରାଜ୍ୟରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରି କେନ୍ଦ୍ର ସରକାର ବିରୋଧରେ ଗୋଟିଏ ବଡ ବାର୍ତ୍ତା ଦେବାକୁ ପ୍ରୟାସ କରିବ । ଦିଲ୍ଲୀ ପୁଲିସ କଂଗ୍ରେସର ଏପରି ପ୍ରଦର୍ଶନକୁ ଅନୁମତି ଦେଇ ନାହିଁ ।

ବିଭିନ୍ନ ସ୍ଥାନରେ ଧାରା ୧୪୪ ଲାଗୁ ହୋଇଛି । ହେଲେ ଏହା ଲୋକଙ୍କ ପ୍ରସଙ୍ଗ ହୋଇଥିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ ସ୍ପଷ୍ଟ କରିଛି । ଅନ୍ୟପଟେ ଦିଲ୍ଲୀ ପୁଲିସ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନକୁ ରୋକିବା ପାଇଁ ସମସ୍ତ ପ୍ରୟାସ କରିବ ବୋଲି ଜଣାପଡିଛି । ତେଣୁ ଅନେକ କଂଗ୍ରେସ କର୍ମୀ ଏବଂ ନେତା ରାତିରେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଥିଲେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ ହୋଇଥିଲା ।

ସୂଚନାମୁତାବକ କଂଗ୍ରେସ ଆଜି ପୂର୍ବାହ୍ନ ୧୧ଟାରୁ ସଂସଦ ଭବନରୁ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇ ବିଜୟ ଚୌକ ପର୍ଯ୍ୟନ୍ତ ଯିବ । କଂଗ୍ରେସ ନେତା ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ଶାସକ ଦଳ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜେପି ଇଡିକୁ ଅସ୍ତ୍ର କରି ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି କହିଛି ଆଇନ ତା କାମ କରୁଛି ।