କୁସ୍ତିରେ ଭାରତକୁ ଝଟକା : ରିଓ ଅଲିମ୍ପିକ୍ସରୁ ବାଦ ପଡିଲେ ନରସିଂହ ଯାଦବ

19

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁ, ବ୍ୟାଡମିଂଟନରେ ସ୍ୱର୍ଣ୍ଣିମ ଆଶା ସଂଚାର କରିଥିବା ବେଳେ ପୁରୁଷ କୁସ୍ତିରେ ଭାରତକୁ ଝଟକା । ରିଓ ଅଲିମ୍ପିକ୍ସରୁ ବାଦ ପଡିଛନ୍ତି ରେସଲର୍ ନରସିଂହ ଯାଦବ । ଡୋପିଂ ଟେଷ୍ଟରେ ନାଡା ଦେଇଥିବା କ୍ଲିନ୍ ଚିଟ୍ ଖାରଜ ହୋଇଯାଇଛି । ଇଣ୍ଡିଆନ୍ ଆଂଟି ଡୋପିଂ ସଂସ୍ଥାର ନିଷ୍ପତିକୁ ସ୍ପୋର୍ଟ ଆର୍ବିଟେସନ୍ କୋର୍ଟ ଖାରଜ୍ କରିବା ସହ ନରସିଂହଙ୍କୁ ୪ ବର୍ଷ ପାଇଁ ବ୍ୟାନ କରାଯାଇଛି । ଫଳରେ ନରସିଂହଙ୍କ ରିଓ ସ୍ୱପ୍ନ ଅଧାରେ ରହିଯାଇଛି । ଆଜି ୭୪ କେଜି ବର୍ଗ କୁସ୍ତିରେ ସେ ଭାରତର ପ୍ରତିନିଧିତ୍ୱ କରିଥାନ୍ତେ, ବ୍ୟାନ୍ ଲଗାଇବା ସହ ଆଜି ରିଓ ଅଲିମ୍ପିକ୍ସ କ୍ରୀଡାଂଚଳ ଛାଡି ଚାଲିଯିବାକୁ ସ୍ପୋର୍ଟ ଆର୍ବିଟେସନ୍ କୋର୍ଟ ନରସିଂହଙ୍କୁ ନିର୍ଦେଶ ଦେଇଛନ୍ତି । ଷଡଯନ୍ତ୍ରର ଶିକାର ହୋଇଥିବା ନେଇ ନରସିଂହଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି ଆର୍ବିଟେସନ୍ କୋର୍ଟ । ପୂର୍ବରୁ ଇଣ୍ଡିଆନ୍ ଆଂଟି ଡୋପିଂ ସଂସ୍ଥା ବା ନାଡା ନରସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ତେବେ ଏହା ବିରୋଧରେ ୱାଡା, ସ୍ପୋର୍ଟ ଆର୍ବିଟେସନ୍ କୋର୍ଟରେ ଅପିଲ୍ କରିଥିଲା । ୱାଡା ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ ।