କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ। ମରଣାନ୍ତକ ଆକ୍ରମଣ ପରେ ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ୍ତ

56

କନକ ବ୍ୟୁରୋ: ପୂର୍ବ ଶତ୍ରୁତାରୁ ଯୁବକକୁ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ହୁଣ୍ଡୁଳା ଗାଁର ପ୍ରଣବ ମହାନ୍ତ । ପରିବାର ଲୋକେ ପ୍ରଣବଙ୍କୁ ଭୁବନ ଦାସ ଓ ତାଙ୍କ ପରିବାର ସଦସ୍ୟ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏନେଇ କେନ୍ଦୁଝର ସଦର ଥାନାରେ ଏତଲା ଦେଇ ନ୍ୟାୟ ଭିକ୍ଷା କରିଛନ୍ତି ମୃତକଙ୍କ ପରିବାର । ଅଭିଯୋଗ ହୋଇଛି କୌଣସି କଥାକୁ ଭୁବନ ଦାସଙ୍କ ପରିବାର ଲୋକଙ୍କୁ ପ୍ରଣବ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିଲା । ଏଥିରେ ରାଗିଯାଇ ଭୁବନ ଦାସ ନିଜ ସହଯୋଗୀଙ୍କୁ ନେଇ ପ୍ରଣବଙ୍କ ଘରକୁ ଆସିଥିଲା । ସେମାନଙ୍କୁ ଦେଖି ଭୟରେ ପ୍ରଣବ ଘର ଭିତରେ ଲୁଚିଯାଇଥିଲେ । ଘରୁ ପ୍ରଣବ ନବାହାରିବାରୁ ଭୁବନ ଦାସ ଓ ତାର ସହଯୋଗୀ ଲଙ୍କା ଓ କୁଟାରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଧୁଆଁକୁ ଘର ଭିତରକୁ ଛାଡିଥିଲେ ।

ପ୍ରଣବ ଅଣନିଶ୍ୱାସୀ ହୋଇ ଘରୁ ବାହାରିବା ପରେ ଛକି ରହିଥିବା ଦୁର୍ବୃତ୍ତମାନେ ଠେଙ୍ଗା, ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ପ୍ରଣବଙ୍କୁ ପେଟ୍ରୋଲ ଢାଳି ଅତି ନୃଶଂସ ଭାବେ ଜାଳିଦେଇ ହତ୍ୟା କରିଥିଲେ ଦୁର୍ବୃତ୍ତ । ଖବର ପାଇ ପୁୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଥାନାରେ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।