ନୂଆ ମୋଟର ଯାନ ଆଇନରୁ ବଞ୍ଚିବାକୁ ଯୁବତୀଙ୍କ ଅଜବ କାରନାମା : ଚାଲାଣ କାଟାଯିବାରୁ ଆତ୍ମହତ୍ୟାର ଧମକ ଦେଲେ ଦିଲ୍ଲୀ ଯୁବତୀ

367

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନକୁ ନେଇ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଚାଲାଣ କାଟାଯିବାରୁ ଆତ୍ମହତ୍ୟାର ଧମକ ଦେଲେ ଯୁବତୀ । ଦିଲ୍ଲୀରେ ଜଣେ ଯୁବତୀଙ୍କ ଜୋରିମାନା ନଦେବା ପାଇଁ ରାଜରାସ୍ତାରେ ହାଇ ଭୋଲଟେଜ ଡ୍ରାମା କରିଛନ୍ତି । ଦିଲ୍ଲୀ କାଶ୍ମୀର ଗେଟ ନିକଟରେ ଟ୍ରାଫିକ ପୁଲିସ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଅଟକାଇବାରୁ ଯୁବତୀ ଜଣକ ସେଠାରେ ହଙ୍ଗାମା କରିଥିଲେ । ପୁଲିସ ସୂଚନା ଅନୁଯାୟୀ ଯୁବତୀଙ୍କ ସ୍କୁଟିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିଲା । ଏହାସହ ସ୍କୁଟି ଚଳାଉଥିବାବେଳେ ସେ ଫୋନ ବ୍ୟବହାର କରୁଥିଲେ । ଏହାଦେଖି ଟ୍ରାଫିକ ପୁଲିସ ଯୁବତୀଙ୍କ ଅଟକାଇଥିଲା ଓ ଚାଲାଣ କାଟିଥିଲା ।

ହେଲେ ଜୋରିମାନା ଦେବା ବଦଳରେ ଦେଖି ଯୁବତୀ ଜଣକ ପ୍ରତିବାଦ କରିବା ସହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପ୍ରଥମେ ଯୁବତୀ ଜଣକ ଟ୍ରାଫିକ ପୁଲିସ ସହ ଯୁକ୍ତିତର୍କ କରିବା ପରେ ଏଭଳି ହଙ୍ଗାମା କରିଥିଲେ । ଅନେକ ସମୟ ଧରି ସେଠାରେ ଏଭଳି ହଙ୍ଗାମା କରିବା ପରେ ପୁଲିସ ଯୁବତୀ ଜଣଙ୍କୁ ଛାଡିଦେଇଥିଲା । ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଯାନ ଆଇନ କଡାକଡି ଭାବେ ଲାଗୁ ହୋଇଛି । ଲୋକେ ଏହାର ଉଲ୍ଲଂଘନ କଲେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି । ମୋଟା ଅଙ୍କର ଚାଲାଣ କଟାଯାଉଛି ।