ଧରଣୀ ପିନ୍ଧିଛି ଧଳାର ଚାଦର, ଶରତରେ କାଶତଣ୍ଡୀର ସମ୍ଭାର: ନଦୀ ପଠାରେ ସୌନ୍ଦର୍ଯ୍ୟର ଫୁଆରା

610

କନକ ବ୍ୟୁରୋ; ଶରତ ଆସିଲା, କାଶତଣ୍ଡୀ ଫୁଟିଲା । ଆଉ ଧରଣୀ ରାଣୀ ଧୋବ ଫରଫର ଚାଦର ଘୋଢେଇ ହୋଇ ମୁରୁକି ମୁରୁକି ହସିଲା । ମାଟିକୁ ଶରତ ସ୍ପର୍ଶ କରିବା ପରେ ଏବେ ସବୁଠି କାଶତଣ୍ଡୀର ସମ୍ଭାର, ସୌନ୍ଦର୍ଯ୍ୟର ଅପରୂପ ମନୋହର । ମାଆ ଆସୁଛନ୍ତି ବୋଲି ଗହୀର ବିଲରୁ ନଦୀପଠା ଯାଏଁ, ରାସ୍ତାକଡରୁ ପୋଖରୀ ହୁଡା ଯାଏଁ ସବୁଠି କାଶତଣ୍ଡୀ ହାତରେ ଶାରଦୀୟ ସନ୍ଦେସ, ଦୁର୍ଗାଙ୍କ ଆଗମନୀର ଆଗୁଆ ଚିଠି ।

ତେବେ ପ୍ରକୃତିର ବିଚିତ୍ର ଫୁଲକୁ ଦେଖି ନିଜକୁ ସମ୍ଭାଳି ପାରୁନି ପବନ । ଏଇ ଦେଖୁନାହାନ୍ତି କେମିତି ତାସହ ଖେଳୁଛି, ତା କମରରେ ହାତ ମାରୁଛି ଆଉ ତାକୁ ଖିଲିଖିଲ ହସାଇ ମଝି ବିଲରେ ମିଳନର ଢେଉ ଭାଙ୍ଗୁଛି । କାଶତଣ୍ଡୀରେ ବାସ୍ନା ନଥାଏ ସତ ହେଲେ ତା ସୌନ୍ଦର୍ଯ୍ୟର ବାସ୍ନାରେ ସମସ୍ତେ ବିମୋହିତ ହୁଅନ୍ତି । ବାଟରେ ଯାଉଥିବା ଲୋକେ ଘଡିଏ ଅଟକି ଯାଇ ତା ରୂପରଙ୍ଗକୁ ଉପଭୋଗ କରନ୍ତି । ଆଉ କବି ଲେଖକମାନେ ଆନମନା ହୋଇ କାଶତଣ୍ଡୀର କମରରେ ଗଢି ଚାଲନ୍ତି କବିତାର କୋଣାର୍କ ।

କାଶତଣ୍ଡୀ ସମସ୍ତଙ୍କୁ କିମିଆ କରେ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ପ୍ରେମରେ ପକାଏ । ସେଇଥିପାଇଁ ବୋଧେ କାଶତଣ୍ଡୀକୁ କିଏ କିଏ ପ୍ରେମିକା ବୋଲି ବି କୁହେ । ଅଭିମାନୀ ପ୍ରେମିକାର ମାନ ଭଞ୍ଜନ ପାଇଁ ପ୍ରେମିକଟି ତା ପ୍ରେମିକାର କାନ ତଳେ କାଶତଣ୍ଡୀର କଅଁଳ ସ୍ପର୍ଶ ଦେଇ ତାକୁ ମନେଇନିଏ । ଆଉ ତାପରେ କାଶତଣ୍ଡୀ ସବୁଦିନ ପାଇଁ ସାକ୍ଷୀ ହୋଇ ରହିଯାଏ ପ୍ରେମର ନଦୀ ପଠା ଉପରେ ।