ଗୋଟିଏ କମ୍ପାନୀରେ ବିନା ଛୁଟିରେ କଲେଣି ୭୦ ବର୍ଷ ଚାକିରୀ, ଅବସର ନେବାକୁ ବି କରିନାହାଁନ୍ତି ଯୋଜନା

247

କନକ ବ୍ୟୁରୋ : ସାଧାରଣ ଭାବେ ଜଣେ କର୍ମଚାରୀ ସର୍ବାଧିକ ୬୦ ବର୍ଷ ପର୍ଯ୍ୟନ୍ତ କାମ କରିଥାନ୍ତି ଓ ଏହାପରେ ଅବସର ନେଇଥାନ୍ତି । ଏହା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବିଶେଷଭାବେ ପରିଲକ୍ଷିତ ହୋଇଥାଏ । ଅନ୍ୟପଟେ ବେସରକାରୀ କର୍ମଚାରୀମାନେ ମଧ୍ୟ ସେହି ସମୟ ବ୍ୟବଧାନରେ ନିଜକୁ କାମରୁ ବିରତ କରିଥାନ୍ତି । ହେଲେ ଭାବନ୍ତୁ ତ ଜଣେ ବ୍ୟକ୍ତି କ୍ରମାଗତ ଭାବେ ଗୋଟିଏ କମ୍ପାନୀରେ ବିନା ଛୁଟିରେ ଚାକିରୀ କରିବା ସମ୍ଭବ କି ? ହଁ ସମ୍ଭବ ଓ ତାହା କରି ଦେଖାଇଛନ୍ତି ବ୍ରିଟେନର ଜଣେ କମ୍ପାନୀ କର୍ମଚାରୀ । ଏଥିପାଇଁ ତାଙ୍କ ଦେଶରେ ତାଙ୍କୁ ସବୁଠାରୁ ସମର୍ପିତ କର୍ମଚାରୀ ବୋଲି କୁହାଯାଉଛି ।

“ମିରର ୟୁକେ” ର ରିପୋର୍ଟ ମୁତାବକ ବ୍ରିଟେନର ଏହି ସବୁଠାରୁ ସମର୍ପିତ କର୍ମଚାରୀଙ୍କ ନାମ ବ୍ରାଏନ ଚୋର୍ଲେ । ବ୍ରାଏନଙ୍କୁ ଏବେ ୮୩ ବର୍ଷ ଛୁଇଁଲାଣି , ସେ ୧୯୫୩ ମସିହାରେ ଯେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ଏକ ଜୋତା କମ୍ପାନୀରେ କାମ କରିବା ଆରମ୍ଭ କରିଦେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ସେହି କମ୍ପାନୀରେ ଚାକିରୀ କରୁଛନ୍ତି । ସବୁଠାରୁ ବଡକଥା ହେଉଛି କି, ତାଙ୍କ ୭୦ ବର୍ଷ ଚାକିରୀ କାଳରେ ସେ ନିଜ ତରଫରୁ କେବେ ଛୁଟି ନେଇ ନାହାଁନ୍ତି ।

ବ୍ରାଏନ କହିଛନ୍ତି କି ସ୍କୁଲ ଛୁଟି ପରେ ସେ ନିଜ ପରିବାର ପାଇଁ କିଛି ରୋଜଗାର କରିବାକୁ ସୋମେରସେଟ ଷ୍ଟ୍ରିଟରେ ଥିବା ସି ଆଣ୍ଡ ଜେ କ୍ଲାର୍କ ଫ୍ୟାକ୍ଟ୍ରି ରେ କାମ ଆରମ୍ଭ କରିଥିଲେ । ଏହାର କାରଣ ଭାବେ ସେ କହିଛନ୍ତି କି ବିଶ୍ୱଯୁଦ୍ଧ ପରେ ତାଙ୍କ ପରିବାର ପୂରା ଗରିବ ହୋଇଯାଇଥିଲା । ଏହାପରେ ସେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କାମ ଆରମ୍ଭ କରିଥିଲେ । ଦୀର୍ଘ ୪୫ ଘଂଟା କାମ କରିବା ପରେ କମ୍ପାନୀ ତରଫରୁ ତାଙ୍କୁ ୨୦୦ ଟଙ୍କା ମିଳିଥିଲା । ଏହି ଅର୍ଥକୁ ସେ ତାଙ୍କ ମା’ଙ୍କୁ ଦେଇ ଦେଇଥିଲେ ।
ବ୍ରାଏନଙ୍କ କହିବା ମୁତାବକ ଏହି ୭୦ ବର୍ଷ ମଧ୍ୟରେ ଫ୍ୟାକ୍ଟ୍ରିଟି ସପିଂମଲରେ ବଦଳି ଯାଇଛି , ହେଲେ ବ୍ରାଏନ ଚାର୍ଲେ ବଦଳି ନାହାଁନ୍ତି । ସେ ବି ଫ୍ୟାକ୍ଟ୍ରିରୁ ସପିଂମଲକୁ ବଦଳି ହୋଇ ସେଠାରେ ଟ୍ରେନିଂ ନେଇ କାମ କରୁଛନ୍ତି । ସେ ଗୋଟିଏ କାର୍ଯ୍ୟାଳୟରେ ୭୦ ବର୍ଷ ଧରି ବିନା ଛୁଟିରେ କାମ କରୁଥିବା ବେଳେ ଲକଡାଉନ ସମୟରେ କମ୍ପାନୀ ତରଫରୁ ତାଙ୍କୁ କିଛିଦିନ ଛୁଟି ଦିଆଯାଇଥିଲା ।

ଅନ୍ୟପଟେ ବ୍ରାଏନ ୮୩ ବର୍ଷରେ ପଦାର୍ପଣ କରିଥିଲେ ବି ସେ କାର୍ଯ୍ୟରୁ ଅବସର ନେବା କଥା ଚିନ୍ତା କରିନାହାଁନ୍ତି । ସେ କହିଛନ୍ତି କି ୯୫ ବର୍ଷିୟ ଡେଭିଡ ଏଣ୍ଟେନବୋରୋ ତାଙ୍କର ଆଦର୍ଶ । ଅର୍ଥାତ ବ୍ରାଏନ ଆହୁରି ୧୦ ବର୍ଷ କାର୍ଯ୍ୟ କରିବାକୁ ଯୋଜନା କରିଛନ୍ତି ।