ମୋଦିଙ୍କ ଫୋକସରେ ମାଳଦ୍ୱୀପ । ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବେ ମୋଦି,ଜାଣନ୍ତୁ ଏହା ପଛର ବଡ କାରଣ?

441

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯାତ୍ରା କରିବେ ବୋଲି ଜଣାପଡିଛି । ମାଲଦ୍ୱୀପ ସହ ସର୍ମ୍ପକ ଭାରତ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରେ ଏବେ ଚୀନ୍ ନିଜର ବଡଭାଈ ପଣିଆ ଦେଖାଇବା ଆରମ୍ଭ କରିଛି । ମାଲଦ୍ୱୀପର ପୂର୍ବ ସରକାର ଚୀନକୁ ଅଧିକ ଗୁରୁ୍ତ୍ୱ ଦେଉଥିବାରୁ ଭାରତର ଚିନ୍ତା ବଢିଥିଲା । ତେବେ କିଛି ଦିନ ପୂର୍ବେ ହୋଇଥିବା ସାଧାରଣ ନିର୍ବାଚନରେ ଇବ୍ରାହିମ ମହମ୍ମଦ ସରକାର ପୁଣିଥରେ କ୍ଷମତାକୁ ଫେରିବା ପରେ ଭାରତ ସହ ସର୍ମ୍ପକରେ କିଛି ମାତ୍ରାରେ ସୁଧାର ଆସିଛି । ଏହାଛଡା ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ମାଳଦ୍ୱୀପର ଗୁରୁତ୍ୱ ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରଥମ ବିଦେଶ ଗସ୍ତରେ ଏହି ଦ୍ୱୀପ ରାଷ୍ଟ୍ରକୁ ଯିବାକୁ ସ୍ଥିର କରିଛନ୍ତି ।

ଏହାଛଡା ପଡୋଶୀ ଆଗ ବନ୍ଧୁ ପଛ ନ୍ୟାୟରେ ଭାରତର ଫୋକସରେ ଏବେ ମାଳଦ୍ୱୀପ ରହିଛି । କାରଣ ମାଳଦ୍ୱୀପ ଭାରତର ପଡୋଶୀ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଭାରତ ମହାସାଗରରେ ପ୍ରାୟ ୧୨୦୦ ଦ୍ୱୀପ ସମୂହକୁ ନେଇ ମାଳଦ୍ୱୀପ ଗଠିତ । ୨୦୦ ଦ୍ୱୀପରେ ସ୍ଥାନୀୟ ବାସିନ୍ଦା ରହୁଥିବା ବେଳେ ଅନ୍ୟ ୧୨ ଦ୍ୱୀପ ପର୍ଯ୍ୟଟକଙ୍କ ପାଇଁ ରହିଛି । ଏହି ଦ୍ୱୀପରେ ରିସୋର୍ଟ, ହୋଟେଲ ରହିଥିବା ବେଳେ ପର୍ଯ୍ୟଟକ ବୁଲିବା ପାଇଁ ସୁବିଧା ରହିଛି । ଏଠାକୁ ପ୍ରତିବର୍ଷ ପ୍ରାୟ ୬ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ।

ସାମରିକ ଦୃଷ୍ଟିକୋଣରୁ ମାଳଦ୍ୱୀପ ଭାରତ ମହାସାଗରର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ଏହା ଲାକ୍ଷାଦ୍ୱୀପ ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି । ମାଳଦ୍ୱୀପ ବାଟ ଦେଇ ଅନେକ ଗୁଡିଏ ଜାହାଜ ଚୀନ୍,ଜାପାନ ଓ ଭାରତକୁ ଆସିଥାଏ । ଖାସକରି ଭାରତର ପ୍ରାୟ ୯୭ ପ୍ରତିଶତ ଅର୍ନ୍ତଜାତୀୟ ବ୍ୟବସାୟ ଭାରତ ମହାସାଗରରେ ହୋଇଥାଏ ତେଣୁ ଏହା ସାମରିକ ଦୃଷ୍ଟି କୋଣରୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଏହାଛଡା ମାଲଦ୍ୱୀପରେ ଚୀନର ଉପସ୍ଥିତି ବୃଦ୍ଧି ପାଇବା ମଧ୍ୟ ଭାରତର ଚିନ୍ତା ବଢାଇଛି । ଗତ କିଛି ବର୍ଷ ମଧ୍ୟରେ ମାଳଦ୍ୱୀପ ସହ ସର୍ମ୍ପକ ବୃଦ୍ଧି ପାଇବା ପରେ ଚୀନ୍ ଏହାର ଫାଇଦା ଉଠାଇଥିଲା । ଏପରିକି ବିଭିନ୍ନ ପ୍ରୋଜେକ୍ଟରେ ନିବେଶ କରି ମାଳଦ୍ୱୀପରେ ନିଜର ପତିଆରା ବୃଦ୍ଧି କରିଥିଲା ଚୀନ୍ । ତେବେ ନୂଆ ସରକାର ଆସିବା ପରେ ଚୀନର ନିବେଶ କରିଥିବା ପ୍ରୋଜେକ୍ଟକୁ ସୀମିତ କରି ଦିଆଯାଇଛି । ଆଉ ଏହାସହ ପୁଣିଥରେ ଭାରତ ସହ ସର୍ମ୍ପକ ସୁଦୃଢ କରିଛି ମାଳଦ୍ୱୀପ । ତେଣୁ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବେ ମୋଦି ।