ଶ୍ୱଶୁର ଘରେ ଜ୍ୱାଇଁର ତାଣ୍ଡବ । ଗାଁ ଦାଣ୍ଡରେ ଶ୍ୱଶୁର ଘର ଲୋକଙ୍କୁ ପନିକିରେ ଆକ୍ରମଣ

ସେପଟେ ମହକାଳପଡାରେ ସାନ ଭାଇ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଫୋପାଡି ଦେଲା ବଡ଼ଭାଇ

369

କନକ ବ୍ୟୁରୋ: ଗାଁ ଦାଣ୍ଡରେ ଫ୍ୟାମିଲି ଡ୍ରାମା । ଜମି ବାଡି ବିବାଦକୁ ନେଇ ମହକାଳପଡାରେ ସାନ ଭାଇ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଫୋପାଡି ଦେଲା ବଡ଼ଭାଇ । ସେପଟେ ବସ୍ତାରେ ଶ୍ୱଶୁର ଘର ଲୋକଙ୍କୁ ପନିକି ଧରି ଗୋଡାଇଲା ଜ୍ୱାଇଁ ।

ଗାଁ ଦାଣ୍ଡରେ ପଡିଲା ପାରିବାରିକ କଳହ । ଜମିବାଡି ବିବାଦକୁ ନେଇ ସାନ ଭାଇ ଓ ତାଙ୍କ ସ୍ତ୍ରୀଙ୍କ ହାତ ଗୋଡି ବାନ୍ଧି ଗାଁଦାଣ୍ଡରେ ଫୋପାଡି ଦେଲା ବଡ ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ ଜିଲ୍ଲା ମହାକାଳପଡା ଥାନା ରାମକଣି ଗାଁରେ । ଜମିବାଡି ବିବାଦକୁ ନେଇ ବଡ ଭାଇ ଓ ସାନ ଭାଇ ମଧ୍ୟରେ ବିବାଦ ଲାଗିରହିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବଡ ଭାଇ ତାଙ୍କ ପୁଅ ମିଶି ନିଜର ସାନ ଭାଇ ଓ ତାଙ୍କ ପତ୍ନୀଙ୍କ ହାତ ଗୋଡି ବାନ୍ଧି ଗାଁ ଦାଣ୍ଡରେ ଫୋଫାଡି ଦେଇଥିଲେ । ଗାଁ ଲୋକେ ମହାକାଳପଡା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପଂହଚି ବନ୍ଧା ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରିଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସେପଟେ ଶ୍ୱଶୁର ଘରେ ତାଣ୍ଡବ ରଚିଛି ଜ୍ୱାଇଁ । ଗାଁ ଦାଣ୍ଡରେ ଶ୍ୱଶୁର ଘର ଲୋକଙ୍କୁ ପନିକିରେ ଆକ୍ରମଣ କଲା ଜ୍ୱାଇଁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଖାଲିନା ଗାଁରେ । ନୀଳାମ୍ବର ପାଣିଗ୍ରାହୀଙ୍କ ଜ୍ୱାଇଁ ରଞ୍ଜନ ପଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି । ସଂପୃକ୍ତ ଯୁବକଙ୍କୁ  କାବୁ କରିବାକୁ ନାକେଦମ ହୋଇଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ରଞ୍ଜନଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ବାପ ଘରେ ରହିଥିଲେ । ତାଙ୍କୁ ନେବା ପାଇଁ ରଞ୍ଜନ ଶ୍ୱଶୁର ଘରକୁ ଆସିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକେ ଝିଅକୁ ଛାଡିବାକୁ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ପରିବାରଲୋକଙ୍କୁ ଆକ୍ରମଣ କରିଥିଲେ । ରଂଜନଙ୍କୁ କାବୁ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ଧରା ଦେବା ପରେ ଗାଁ ଲୋକେ ବି ରଞ୍ଜନଙ୍କୁ ଉତମ ମଧ୍ୟମ ଦେଇଥିଲେ । ରଂଜନଙ୍କ ଆକ୍ରମଣରେ ଜଣେ ପୋଲିସଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ପୋଲିସ ରଞ୍ଜନକୁ ଗିରଫ କରିଛି ।