ବିଧାୟକଙ୍କ ହାତରେ ଚକ୍ ଖଡ଼ି ଓ ଡଷ୍ଟର : ଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ

694

କନକ ବ୍ୟୁରୋ : ପାଠପଢ଼ାଇଲେ ବିଧାୟକ । ଶିକ୍ଷକ ଭୂମିକାରେ ନଜର ଆସିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ । ସୁକାନ୍ତ ନାୟକ ଆଜି ସଜନାଗଡ଼ ପଞ୍ଚାୟତ ଅଧିନ ତେଣ୍ଡା କନ୍ୟାଆଶ୍ରମ ପରିଦର୍ଶନ କରିଥିଲେ । ସ୍କୁଲର ପାଠପଢ଼ା, ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ସହ ପିଲାଙ୍କୁ ପାଠ ପଢ଼ାଇଲେ । ବିଧାୟକ ସ୍କୁଲରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ଖରବ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଉଛି ।

ମାଷ୍ଟର ସାଜିଲେ ବିଧାୟକ । ଶ୍ରେଣୀ ଗୃହରେ ଚକ୍ ଖଡ଼ି ଓ ଡ଼ଷ୍ଟର ଧରି କଳାପଟାରେ ପିଲାମାନଙ୍କୁ ଗଣିତ ପଢାଇଲେ ବିଧାୟକ । ବାଲେଶ୍ୱର ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସଜନାଗଡ଼ ପଂଚାୟତର ତେଣ୍ଡା କନ୍ୟାଶ୍ରମ ପରିଦର୍ଶନ କରିବାକୁ ଯାଇଥିଲେ ବିଧାୟକ । ଏହି ଅବସରରେ ସେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗଣିତ ଶିକ୍ଷାଦାନ କରିଛନ୍ତି ।

ଏହା ସହ ଛାତ୍ରୀମାନେ ଭଲ ପାଠପଢି ଉଜ୍ୱଳ ଭବିଷ୍ୟତ ଗଢିବାକୁ ଉପଦେଶ ଦେଇଛନ୍ତି ବିଧାୟକ । ବିଧାୟକଙ୍କ ଏଭଳି କାମକୁ ଅଭିଭାବକ ଓ ସାଧାଣରେ ବେଶ ପ୍ରଶଂସା କରାଯାଇଛି ।